କୋଭିଡ୍ ଯୁଦ୍ଧରେ ଜିତିଲା କୁନି ଯୋଦ୍ଧା । ୨୫ ଦିନର ଶିଶୁ କରୋନାରେ ହୋଇଥିଲା ଆକ୍ରାନ୍ତ,  ୧୦ ଦିନ ଭେଣ୍ଟିଲେଟରରେ ରହିବା ପରେ ହେଲେ ସଂପୂର୍ଣ୍ଣ ସୁସ୍ଥ ।

194

କନକ ବ୍ୟୁରୋ : ଦ୍ୱିତୀୟ ଲହରରେ କରୋନା ସୁନାମି ଭଳି ମାଡି ଚାଲିଛି । ଏହି ଲହରରେ କୋଭିଡ୍ ଭାଇରସ୍ ପ୍ରଥମ ଲହର ତୁଳନାରେ ଅଧିକ ଭୟଙ୍କର ହୋଇଛି । ଗତ ଲହର ତୁଳନାରେ ଏଥର ଅଧିକ ସଂଖ୍ୟାରେ ଯୁବକ ଓ ଛୋଟ ପିଲାଙ୍କୁ ଆକ୍ରାନ୍ତ କରୁଛି । ଏପରିକି ବହୁ ସଂଖ୍ୟାରେ ଯୁବକଙ୍କର ଜୀବନ ବି ନେଉଥିବା ଖବର ସାମନାକୁ ଆସିଛି । ଏଭଳି ସମୟରେ କରୋନାକୁ ହରାଇଛି କୁନି ଯୋଦ୍ଧା ।

କରୋନା ସଂକ୍ରମଣକୁ ନେଇ ଭୟ ଭିତରେ ଆସିଛି ଭଲ ଖବର । କରୋନାକୁ ମାତ ଦେଇଛି ନବଜାତକ । କରୋନାରେ ସଂକ୍ରମିତ ହେବା ପରେ କଳାହାଣ୍ଡିରୁ ଭୁବନେଶ୍ୱର ଆସି ଏକ ଘରୋଇ  ଡାକ୍ତରଖାନାରେ ୩ସପ୍ତାହ ଧରି ଚିକିତ୍ସିତ ହେବା ପରେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛି । ଏବେ ତାକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

କରୋନା ଲକ୍ଷଣ ଦେଖାଯିବା ପରେ ୧୫ ଦିନର କୁନି ଶିଶୁକୁ କଳାହାଣ୍ଡିରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଏକ ଘରୋଇ ହସ୍ପିଟାଲରେ ନବଜାତକକୁ ଭର୍ତି କରାଯିବା ପରେ ସେ କରୋନା ଆକ୍ରାନ୍ତ ଜଣାପଡିଥିଲା । ତାପରେ ଶିଶୁଟିକୁ ୨୦ ଦିନ ହସ୍ପିଟାଲରେ ରଖି ଚିକିତ୍ସିତ କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାକୁ ଭେଣ୍ଟିଲେଟରରେ ବି ଭର୍ତି କରାଯାଇଥିଲା । ଏପରିକି ଜୀବନ ବଞ୍ଚାଇବା ପାଇଁ ବାପାମାଙ୍କ ଅନୁମତି ନେଇ  ଶିଶୁଟିକୁ ରେମଡିସିଭିର, ଷ୍ଟେରଏଡ ଓ ବିଭିନ୍ନ ଆଣ୍ଟିବାୟୋଟିକ ଦିଆଯାଇଥିଲା । ଆଉ ଶେଷରେ କରୋନାକୁ ହରାଇଛି ଏହି କୁନି ଶିଶୁ ।

ଶିଶୁଟିର ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ତେଣୁ ବଡ ମାନଙ୍କଠାରୁ ଶିଶୁମାନେ ସଂକ୍ରମିତ ହେଉଥିବାରୁ ସର୍ତକ ହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ତେବେ ସତର୍କତା ଅବଲମ୍ବନ କରି ମା ଶିଶୁକୁ ସ୍ତନ୍ୟପାନ କରାଇପାରିବେ ବୋଲି କହିଛନ୍ତି ଡାକ୍ତର ।