ପେଟକୁ ଗଲାନି ଖାଦ୍ୟ, ଆହାର ବନିଲା ଅଳିଆ । କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ୨ ହଜାର ଲୋକଙ୍କ ଖାଇବା ଫିଙ୍ଗିଦେଲା ଗଂଜାମ ପ୍ରଶାସନ

272

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୋକର ଏଭଳି କିଛି ବିକଳ ଚିତ୍ର ଆପଣଙ୍କ ନଜରକୁ ମଧ୍ୟ ଆସିଥିବ । ଯେଉଁଠି କିଏ ଡଷ୍ଟବିନ୍ରୁ ଖାଉଇବା ଗୋଟାଉଛି, ତ ଆଉ କିଏ ତଳୁ ଖାଇବା ଉଠାଇ ଖାଉଛି । ଏମିତି କି ରାଜଧାନୀ ଭୁବନେଶ୍ୱରରେ ପେଟର ଭୋକ ମେଂଟାଉଛି ଆହାର କେନ୍ଦ୍ର । ହେଲେ ଏଠାରେ ଜଣେ ବୁଢ଼ି ମା’ ପ୍ରଶାସନର ଗୋଡ଼ ତଳେ ପଡ଼ି କାକୁତିମିନତି ହେଉଛନ୍ତି । ବୁଢ଼ି ମା’ ପ୍ରଶାସନକୁ ହାତ ଯୋଡ଼ି ନିବେଦନ କରୁଛନ୍ତି ଖାଇବା ଫୋପାଡନ୍ତୁ ନାହିଁ ।

ଘଟଣାର ପୃଷ୍ଟଭୂମୀ କିଛି ଏହି ଭଳି । ଗଂଜାମ ଜିଲ୍ଲା ନୂଆପଲ୍ଲୀ ଗାଁର ଦୟା ବିଶୋଇଙ୍କ ପୁଅ ନୀଳକଣ୍ଠଙ୍କ ବାହାଘର ହୋଇଥିଲା । ଆଉ ବାହାଘର ସରିବା ପରେ ୧୨ ତାରିଖରେ ୨ହଜାର ଲୋକଙ୍କ ଖାଇବା ପାଇଁ ଭୋଜି ଆୟୋଜନ କରିଥିଲେ ପରିବାର ଲୋକ । ହେଲେ କରୋନା ଯୋଗୁଁ କଟକଣା ଥିବାରୁ ପ୍ରଶାସନ ଆସି ଭୋଜି ବନ୍ଦ କରିବା ସହ ୮ ହଜାର ୫ଶହ ଟଙ୍କା ଫାଇନ୍ କରିଥିଲା ।

ବଡ଼ କଥା ହେଉଛି- ନିୟମ ଉଲଂଘନ ହୋଇଥିବା ଦର୍ଶାଇ ପ୍ରଶାସନ, ଭୋଜି ପାଇଁ ପ୍ରସ୍ତୁତି ହୋଇଥିବା ଚିକେନ୍, ଭାତ, ଡାଲି, ତରକାରୀ, ଖଟା ଆଦି ଖାଦ୍ୟ ସାମଗ୍ରୀକୁ ଫୋପାଡ଼ି ଦେଇଥିଲା । ଆଉ ଖାଦ୍ୟ ନଫୋପାଡ଼ିବା ପାଇଁ ମହିଳା ଜଣକ ଅନୁରୋଧ କରୁଥିଲେ । ଆଉ ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ପ୍ରଶାସନ ଖାଦ୍ୟ ନଫୋପାଡ଼ି ଭୋକିଲା ଲୋକଙ୍କୁ ଦେବାକୁ ପରାମର୍ଶ ଦେଇଛନ୍ତି ସାମାଜିକ କର୍ମୀ ।

ବିବାହ ଭୋଜିରେ କିମ୍ବା କୌଣସି କାର୍ଯ୍ୟକ୍ରମରେ ବଳି ଯାଉଥିବା ଖାଦ୍ୟକୁ ଭୋକିଲାଙ୍କ ପାଖରେ ପହଂଚିବା କାମ କରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରବିନ୍ହୁଡ଼ ଆର୍ମି । ତେଣୁ ଗଂଜାମ ଭଳି ଖାଇବା ନଷ୍ଟ ନକରି ଭୋକିଲାଙ୍କୁ ଦେବା ପାଇଁ ଏହି ଅନୁଷ୍ଠାନର କର୍ମୀମାନେ ପରାମର୍ଶ ଦେଇଛନ୍ତି ।