କନକ ବ୍ୟୁରୋ: କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଖୁବଶୀଘ୍ର ଉପଲବ୍ଧ ହେବ ରୁଷିଆ ଟିକା ‘ସ୍ପୁଟ୍ନିକ୍ ଭି’ । ରୁଷିଆରୁ ଆସିଥିବା ସ୍ପୁଟନିକ୍ ଭି’ର ଗୋଟିଏ ଡୋଜ୍ର ଦାମ ୯୯୫ ଟଙ୍କା ୪୦ ପଇସା ପଡ଼ିବ ବୋଲି ବିଜ୍ଞପ୍ତି ଜାରି କରିଛି ଡକ୍ଟର ରେଡି’ସ୍ ଲାବୋରେଟୋରିଜ୍ । ଟିକାର ଦାମ ୯୪୮ ଟଙ୍କା ଓ ୫ ପ୍ରତିଶତ ଜିଏସଟିକୁ ମିଶାଇ ଏହି ମୂଲ୍ୟ ରଖାଯାଇଛି । ଡକ୍ଟର ରେଡି’ସ୍ ଲାବୋରେଟୋରିଜ୍ ଫାର୍ମା କଂପାନୀ ଭାରତରେ ରୁଷିଆ ଟିକା ତିଆରି ପାଇଁ ଲାଇସେନ୍ସ ପାଇଛି । ଇମ୍ପୋଟେଡ୍ ହୋଇଥିବାରୁ ଦାମ ଅଧିକ ରହିଛି, ଭାରତରେ ତିଆରି ହେଲେ ଏହାର ଦାମ କମିପାରେ ବୋଲି କହିଛି ଏହି ଫାର୍ମା କଂପାନୀ ।

Advertisment

ଏପ୍ରିଲ ୧୩ ତାରିଖରେ ସ୍ପୁଟନିକ୍ ଭି’ର ଜରୁରିକାଳୀନ ବ୍ୟବହାର ଲାଗି ଡିସିଜିଆଇ ବା ଭାରତୀୟ ଔଷଧ ମହାନିୟନ୍ତ୍ରକ ଅନୁମତି ଦେଇଥିଲେ । ମେ’ ୧ ତାରିଖରେ ଦେଢ଼ ଲକ୍ଷ ଡୋଜ୍ ଟିକାର ପ୍ରଥମ କନ୍ସାଇନ୍ମେଂଟ ଭାରତରେ ପହଁଚିଥିଲା । ହାଇଦ୍ରାବାଦରେ ପ୍ରଥମ ଡୋଜ୍ ଦିଆଯାଇ ପାଇଲଟ ଲଂଚିଂ ହୋଇଥିବା ସୂଚନା ଦେଇଛି ଡକ୍ଟର ରେଡି’ସ୍ ଲାବୋରେଟୋରିଜ୍ । ସ୍ପୁଟନିକ୍ ଭି’ ଟିକା ଆସନ୍ତା ସପ୍ତାହରେ ବଜାରାରେ ଉପଲବ୍ଧ ହେବ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ କହିଛନ୍ତି, ଆସନ୍ତା ଜୁଲାଇ ମାସରେ ଭାରତରେ ଆରମ୍ଭ ହେବ ସ୍ପୁଟନିକ୍ ଭି’ର ଉତ୍ପାଦନ ।

ନଜର ପକାନ୍ତୁ ସ୍ପୁଟନିକ୍ ଭି’ର ବିଶେଷତ୍ୱ ଉପରେ :
ଅଗଷ୍ଟ ୧୧, ୨୦୨୦ରେ ସ୍ପୁଟନିକ ଭି’ ବ୍ୟବହାର ପାଇଁ ଅନୁମତି ଦେଇଥିଲା ରୁଷ
ବିଶ୍ୱର ପ୍ରଥମ କରୋନା ଟିକା ଭାବେ ରୁଷିଆର ଦାବି
ଲାନ୍ସେଟ୍ ମେଡିକାଲ ପତ୍ରିକା ଅନୁସାରେ ଏହା ୯୧.୬ ପ୍ରତିଶତ ପ୍ରଭାବଶାଳୀ
ଟିକାର ଦୁଇଟି ଡୋଜ୍ ନେବାକୁ ହୋଇଥାଏ
ଉଭୟ ପାଉଡର ଓ ଲିକ୍ୟୁଡ୍ ଆକାରରେ ଏହା ଉପଲବ୍ଧ
ଗତ ସେପ୍ଟେମ୍ବର ମାସରେ ଭାରତର ଡକ୍ଟର ରେଡି’ସ୍ ଓ ରୁଷିଆ ଡାଇରେକ୍ଟ ଇନ୍ଭେଷ୍ଟମେଂଟ ଫଣ୍ଡ ମଧ୍ୟରେ ବୁଝାମଣା ହୋଇଥିଲା
ସ୍ପୁଟନିକ୍ ଭି’ର ମାନବ ପରୀକ୍ଷଣ ଏବଂ ଭାରତରେ ଉତ୍ପାଦନ ଓ ବଂଟନ ଅଧିକାର ପାଇଛି ଡକ୍ଟର ରେଡି’ସ୍ ଲାବୋରେଟୋରିଜ୍