ଆସିଲା ବୁଥ୍ ବାହୁଡା ମତ, ଦୁଇଟି ଆସନରୁ ଜିତିପାରନ୍ତି ନବୀନ! ହିଞ୍ଜିଳି ନା ବିଜେପୁର, କେଉଁ ଆସନରୁ ପ୍ରତିନିଧିତ୍ୱ କରିବେ ବିଜେଡି ସୁପ୍ରିମୋ?

426

କନକ ବ୍ୟୁରୋ : ନିର୍ବାଚନ ଯୁଦ୍ଧ ସରିଛି, ଏକଜିଟ୍ ପୋଲ ଆସିଛି । କିଏ ଗଢିବ ସରକାର, ତାହାକୁ ନେଇ ଆସିଛି ସମ୍ଭାବ୍ୟ ଫଳାଫଳ । ଜାତୀୟ ଠାରୁ ଆରମ୍ଭ କରି ଆଞ୍ଚଳିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି ସମ୍ଭାବ୍ୟ ଫଳାଫଳର ଝଲକ । କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ ପୁଣିଥରେ କ୍ଷମତାକୁ ଫେରିପାରନ୍ତି ବୋଲି ବୁଥ ବାହୁଡା ମତରୁ ସଂକେତ ମିଳୁଛି । ଏପରିକି ଚଳିତଥର ନବୀନ ଲଢୁଥିବା ୨ଟି ଆସନରେ ବିଜୟୀ ହୋଇପାରନ୍ତି ବୋଲି ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ରିପୋର୍ଟରେ ସାମ୍ନାକୁ ଆସିଛି । ତେବେ ଏହି ୨ଟି ଆସନରୁ ନବୀନ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡିବେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ଚଳିତଥର ନବୀନଙ୍କ ୨ଟି ଆସନ ହିଞ୍ଜିଳି ଓ ବିଜେପୁରରେ ଲଢିବା ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ୨୦୧୯ ନିର୍ବାଚନ ବ୍ୟାଟଲ ଜିତିବା ପାଇଁ ନୂଆ ଫର୍ମୁଲାକୁ ଆପଣାଇଥିଲେ ନବୀନ । ଖାସକରି ବିଜେଡି ଦୁର୍ବଳ ଥିବା ପଶ୍ଚିମ ଓଡିଶା ଉପରେ ଫୋକସ କରିଥିଲେ ନବୀନ । ପଶ୍ଚିମ ଓଡିଶାରେ ବିଜେଡିର ଆସନ ବଢାଇବା ପାଇଁ ଏହି ଫର୍ମୁଲାକୁ ଆପଣାଇଥିଲେ ନବୀନ । ଯେଉଁଥିପାଇଁ ଦୀର୍ଘ ୧୯ ବର୍ଷ ପରେ ପ୍ରଥମଥର ପାଇଁ ନବୀନ ୨ଟି ଆସନରୁ ମୈଦାନକୁ ଓହ୍ଲାଇଥିଲେ । ପାରମ୍ପରିକ ହିଞ୍ଜିଳି ଆସନ ସହ ୨୦୧୮ରୁ ଫୋକସରେ ରହିଥିବା ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ନବୀନ । ଆଉ ଏହାସହ ପଶ୍ଚିମ ଓଡିଶା କାର୍ଡ ଖେଳିଥିଲେ ନବୀନ ।

ଆଉ ଏହି ଫର୍ମୁଲାରେ ସଫଳ ମଧ୍ୟ ହୋଇପାରନ୍ତି ନବୀନ । ୨୦୧୪ରେ ପଶ୍ଚିମ ଓଡିଶାରେ ବିଜେଡି ୨୦ଟି ଆସନରେ ସବୁଜ ବାନା ଉଡାଇବାକୁ ସକ୍ଷମ ହୋଇଥିଲା । କିନ୍ତୁ ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ଅନୁଯାୟୀ ଚଳିତଥର ୨୧ଟି ଆସନରେ ବିଜେଡି ବାଜିମାତ କରୁଥିବା ବେଳେ ୯ଟି ଆସନରେ କ୍ଲୋଜ୍ ଫାଇଟ୍ କରିପାରେ । ଯାହା ବିଜେଡି ଶିବିରକୁ କିଛି ମାତ୍ରାରେ ଆଶ୍ୱସ୍ତ କରିପାରେ । ତେବେ ୨ଟି ଆସନରୁ ନବୀନଙ୍କର ବିଜୟ ସମ୍ଭାବନା ରହିଥିବା ବେଳେ କେଉଁ ଆସନ ଛାଡିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଯେହେତୁ ପୂର୍ବରୁ ବିଜେପୁରର ବିକାଶର ଦାୟିତ୍ୱ ନିଜେ ବୁଝିବେ ବୋଲି ନବୀନ ଘୋଷଣା କରିଛନ୍ତି ତେଣୁ ଏହି ଆସନକୁ ରଖିପାରନ୍ତି । ଏହାଛଡା କଂଗ୍ରେସର ଗଡ ରହିଥିବା ବିଜେପୁରକୁ ବିଜେଡି ନିଜ ଦଖଲକୁ ନେଇଥିବା ବେଳେ ଏତେ ସହଜରେ ଛାଡିବାକୁ ଚାହିଁବ ନାହିଁ । ଏସବୁ ବାଦ୍ ପଶ୍ଚିମ ଓଡିଶାରେ ବିଜେଡି ସଙ୍ଗଠନକୁ ସୁଦୃଢ ଓ ଶକ୍ତିଶାଳୀ କରିବାକୁ ଏହି ଆସନ ଛାଡିନପାରନ୍ତି ନବୀନ । ତେବେ ଯଦି ନବୀନ ବିଜେପୁରକୁ ନିଜ ହାତରେ ରଖନ୍ତି ତେବେ ହିଞ୍ଜିଳି ଆସନରୁ ଦଳ କାହାକୁ ମୈଦାନରୁ ଓହ୍ଲାଇବ ତାହା ମଧ୍ୟ ସବୁଠୁ ବଡ ପ୍ରଶ୍ନ । ଆଉ ଏସବୁ ଭିତରେ ସମସ୍ତଙ୍କର ନଜର ରହିବ ଯେଉଁ ହିଞ୍ଜିଳି ଆସନରୁ ନିର୍ବାଚିତ ହୋଇ ନବୀନ ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ସେହି ଆସନରୁ ପୁଣିଥରେ ପ୍ରତିନିଧିତ୍ୱ କରିବେ ନା ହିଞ୍ଜିଳିକୁ ବାଏ ବାଏ କରି ବିଜେପୁର ଆସନରୁ ବିଜେଡିର ନୂଆ ପ୍ରତିନିଧି ସାଜିବେ ।