ପୁଣି ୫ ବର୍ଷ ପାଇଁ ବନବାସ ଯାଇପାରେ କଂଗ୍ରେସ ! ହେଲେ, ଦଳ ପାଇଁ ରହିଛି ଗୋଟିଏ ଖୁସି ଖବର

ସାରା ଦେଶରେ ନିର୍ବାଚନ ସରିଲା

2,417

କନକ ବ୍ୟୁରୋ : ସାରା ଦେଶରେ ନିର୍ବାଚନ ସରିଲା । ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲର ସର୍ଭେ ରିପୋର୍ଟ ମଧ୍ୟ ଆସିଲା । ତେବେ ଅଧିକାଂଶ ଏକଜିତ ପୋଲର ସର୍ଭେ ରିପୋର୍ଟ ଅନୁସାରେ ପୁଣି ଥରେ ନରେନ୍ଦ୍ର ମୋଦି ହିଁ ପ୍ରଧାନମନ୍ତ୍ରୀ ହେବେ । କେବଳ ଏତିକି ନୁହେଁ ବରଂ ମ୍ୟାଜିକ ନମ୍ବରଠାରୁ ବହୁ ଅଧିକ ଆସନରେ ବିଜେପି ବିଜୟ ହେବ ବୋଲି ଏକଜିଟ ପୋଲ କହିଛି । ତେବେ କଂଗ୍ରେସକୁ ଚଳିତ ନିର୍ବାଚନରେ ମାତ୍ର ୭୭ ରୁ ୧୦୮ ଆସନ ମିଳିବ ବୋଲି କୁହାଯାଇଛି । ହେଲେ ୟୁପିଏ ପାଇଁ ଏକ ଖୁସି ଖବର ମଧ୍ୟ ରହିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବିରୋଧୀ ଦଳ ଆସନ ପାଇଁ ସକ୍ଷମ ହେବ ୟୁପିଏ ।

କାରଣ ପୂର୍ବ ନିର୍ବାଚନରେ ବିରୋଧୀ ଦଳ ପାଇଁ ଯେତିକି ଆସନ ଦରକାର ଥିଲା ତାହା ମଧ୍ୟ ୟୁପିଏ ହାସଲ କରିପାରିନଥିଲା । ମାତ୍ର ୪୪ ସିଟରେ ସୀମିତ ରହିଥିଲା ୟୁପିଏ । ସମ୍ବିଧାନର ନିୟମ ଅନୁସାରେ ଯଦି ଲୋକସଭାରେ କୌଣସି ଦଳ ବିରୋଧୀ ଦଳର ମାନ୍ୟତା ହାସଲ କରିବ । ତେବେ ସେହି ଦଳ ପାଖରେ ମୋଟ ୫୪୩ ଆସନରୁ ୧୦ ପ୍ରତିଶତ ଅର୍ଥାତ ୫୪ ଟି ରହିବା ନିହାତି ଦରକାର । ହେଲେ ତାହା ମଧ୍ୟ ୟୁପିଏ କରିବା ପାଇଁ ସମର୍ଥ ହୋଇନଥିଲା । ଯଦି ବିଭିନ୍ନ ଗଣମାଧ୍ୟମ ବା ସଂସ୍ଥାନ ପକ୍ଷରୁ କରାଯାଇଥିବା ସର୍ଭେ ସତହୁଏ ।

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବିରୋଧୀ ଆସନରେ ବସି ସଂଘର୍ଷ କରିବା ପାଇଁ ପଡିବ । ଏହାସହ ଏକଜିଟ ପୋଲ ରିପୋର୍ଟ ଅନୁସାରେ ଦେଶର କିଛି ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି । ଅନେକ ରାଜ୍ୟରେ ବିଜେପି ବା ଏନଡିଏ ମଧ୍ୟ ଭଲ ପ୍ରଦର୍ଶନ କରିଛି । କିନ୍ତୁ କଂଗ୍ରେସ ଯେଉଁ ଆଶା ରଖଥିଲା ଚଳିତଥର ଦେଶରେ ସରକାର ଗଠନ କରିବ ବୋଲି ଏକଜିଟ ପୋଲ ରିପୋର୍ଟ ଅନୁସାରେ ତାହା ହେଉନଥିବା ସ୍ପଷ୍ଟ ହେଉଛି । କିନ୍ତୁ ପ୍ରକୃତରେ ଆଗାମୀ ୨୩ରେ ଫଳାପଳ ଆସିବା ପରେ ଜଣାପଡିବ ଯେ, ଏହି ପୋଲ କେତେ ଦୂର ସତ ହେବ ।