ରାଜ୍ୟରେ ବଢ଼ି ଚାଲିଛି ଦୈନିକ ସଂକ୍ରମଣ । ପଡ଼ୋଶୀ ରାଜ୍ୟର ସଂକ୍ରମଣକୁ ଦେଖି, ସୀମା ସିଲ୍ କଲା ପ୍ରଶାସନ ।

185

କନକ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ହୋଇଚାଲିଛି କରୋନା ସଂକ୍ରମଣ । ଦିନକରେ ୧୩ଶହ ୭୪ ନୂଆ ପଜିଟିଭ୍ ଚିହ୍ନଟ ଓ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ସର୍ବାଧିକ ୩୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୯୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୩୫ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ପଶ୍ଚିମଓଡିଶାରେ କରୋନା ସ୍ଥିତି ଚିନ୍ତାଜନକ ହେଉଥିବାରୁ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରି କୋଭିଡ ପରିଚାଳନା ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ।

ପଡୋଶୀ ରାଜ୍ୟ ପଟୁ ସଂକ୍ରମଣ ଭୟ ଯୋଗୁଁ ଛତିଶଗଡ ସୀମାକୁ ସିଲ କରିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଉମରକୋଟ ନିକଟ ଦଣ୍ଡେସରା ଗାଁ ଚେକ ପୋଷ୍ଟକୁ ସିଲ କରି ଯାଂଚ କରିଛନ୍ତି ତହସିଲଦାର ଓ ଏସଡିପିଓ । ଛତିଶଗଡରୁ ଜରୁରୀ କାମରେ ଆସୁଥିବା ଲୋକଙ୍କୁ କରୋନା ନେଗେଟିଭ ରିପୋର୍ଟ ମଗାଯାଉଛି । ନେଗେଟିଭ୍ ରିପୋର୍ଟ ନଥିଲେ ୭ଦିନ ସଂଗରୋଧରେ ରହିବାକୁ କୁହାଯାଉଛି । ଅନ୍ୟପଟେ ଛତିଶଗଡକୁ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ସେପଟେ ଶହ ଶହ ପ୍ରବାସୀ ଓଡିଆଙ୍କୁ ବିନା ଯାଂଚରେ ଛଡାଯାଉଥିବା ଖବର ପ୍ରସାରଣ ପରେ ଚେତିଛି ଗଂଜାମ ପ୍ରଶାସନ । ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ପାଂଚଟି କୋଭିଡ ସ୍କ୍ରିନିଂ, ଟେଷ୍ଟିଂ ସେଂଟରରେ ଯାତ୍ରୀଙ୍କୁ ପରୀକ୍ଷା କରାଯାଉଛି ।

ଅନ୍ୟପଟେ ଗଜପତି ପାରଳାଖେମୁଣ୍ଡିରେ ଶୁକ୍ରବାର ତେଲଗୁ ଷ୍ଟାର ପବନ କଲ୍ୟାଣଙ୍କ ନୂଆ ଫିଲ୍ମ ରିଲିଜ ହୋଇଥିଲା । ଟିକେଟ କାଉଁଟର ଓ ସିନେମା ହଲରେ ଦେଖିବାକୁୁ ମିଳିଥିଲା ଅସମ୍ଭାଳ ଭିଡ । ଖବର ପାଇ ପୁଲିସ ଚଢାଉ କରିଥିଲା ଓ ଛତ୍ରଭଙ୍ଗ ଦେଇଥିଲେ ଲୋକେ । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୪ଟି ସିନେମା ହଲ ଜୟା, ଲକ୍ଷ୍ମୀ, ନଟରାଜ ଓ କ୍ରିଷ୍ଣାକୁ ସିଲ୍ କରିଛି ପ୍ରଶାସନ ।