କୁଆଡ଼େ ଗଲା କ୍ୱାରେଣ୍ଟିନ୍ ସେଂଟର । ବଢୁଛି ସଂକ୍ରମଣ, ଫେରୁଛନ୍ତି ପ୍ରବାସୀ । ହେଲେ କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ସଙ୍ଗରୋଧ କେନ୍ଦ୍ରର ନାହିଁ ଚିହ୍ନବର୍ଣ୍ଣ ।

216

କନକ ବ୍ୟୁରୋ: ଗତ ବର୍ଷ ପଂଚାୟତ ଠାରୁ ମହାନଗର ନିଗମ ଯାଏଁ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ର ବିପର୍ଯ୍ୟସ୍ତ ହୋଇପଡିଛି । ଏପଟେ କରୋନାର ଦ୍ୱିତୀୟ ଲହରରେ ଦ୍ରୁତ ସଂକ୍ରମଣ ଯୋଗୁଁ ଘର ମୁହାଁ ପ୍ରବାସୀ, ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା କ୍ୱାରେଣ୍ଟିନ ସେଂଟରର ଚିହ୍ନବର୍ଣ୍ଣ ନାହିଁ ।

ଗଂଜାମ ଜିଲ୍ଲାରେ ପ୍ରବାସୀଙ୍କୁ ରଖିବା ପାଇଁ ଯେଉଁ ବ୍ୟବସ୍ଥା ସବୁ କରାଯାଇଥିଲା ତାହା ଆଉ ନାହିଁ । ବହୁ କ୍ୱାରେଣ୍ଟିନ ସେଂଟର ବିଦ୍ୟାଳୟରେ ଖୋଲାଯାଇଥିବା ବେଳେ କେଉଁଠି ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି, କେଉଁଠି ଫ୍ୟାନ ଭାଙ୍ଗି ଓହଳିଛି ତ କେଉଁଠି ପାଇଖାନା ଭାଙ୍ଗି ଯାଇଛି ।

ସମ୍ବଲପୁରର ସଙ୍ଗରୋଧ କେନ୍ଦ୍ରରେ ଏବେ ଚାଲିଛି ପାଠପଢା । ଧନକଉଡା ବ୍ଲକ ଗୋଶାଳା ପଂଚାୟତ ହାଇସ୍କୁଲରେ ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି କ୍ୱାରେଣ୍ଟାଇନ୍ ସେଂଟର । ସେପଟେ କଟକ ଆଠଗଡରେ ମଧ୍ୟ କ୍ୱାରେନଟିନ ସେଂଟର ସ୍କୁଲରେ ଖୋଲାଯାଇଥିଲା । ପରବର୍ତ୍ତି ସମୟରେ ସଙ୍ଗରୋଧ କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି । ପୁରୀ ଜିଲ୍ଲା ନିମାପଡା ବ୍ଲକରେ ସମସ୍ତ ସଙ୍ଗରୋଧ କେନ୍ଦ୍ରର ଆସବାବ ପତ୍ର, ଏବେ ପଂଚାୟତ ଅଧିକାରୀମାନଙ୍କ ଦାୟିତ୍ୱରେ ରହିଛି ।

ଛତିଶଗଡ ସୀମାରେ ଥିବା ସୁନ୍ଦରଗଡ ଜିଲ୍ଲାର ୩ଟି ବ୍ଲକ ବାଲିଶଙ୍କରା, ଲେଫ୍ରିପଡା, ହେମଗିରିରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖାସ କରି ବାଲିଶଙ୍କରା ବ୍ଲକର ଲୁଲୁକିଡିହି ଓ ବନଡେଗାର ମାଇକ୍ରୋ କନଟେନମେନ୍ଟ ଜୋନରୁ ମାତ୍ରାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହେଲେ ବର୍ତମାନ ସୁଦ୍ଧା ଓଡିଶାର ବୋର୍ଡର ଖୋଲାମେଲା ରହିଛି । ନା ସୀମାରେ ଚେକ ପୋଷ୍ଟ ରହିଛି ନା ବର୍ତମାନ ସୁଦ୍ଧା କ୍ଲଷ୍ଟର ଟିଏମସିର ବ୍ୟବସ୍ଥା କରାଯାଇଛି । ସେପଟେ ଛତିଶଗଡ ସୀମାରେ ରାଜ୍ୟକୁ ପ୍ରବେଶ କରୁଥିବା ଲୋକଙ୍କୁ ଜୋରସୋରରେ ଚେକିଂ ଓ ସ୍କ୍ରାନିଂ କରାଯାଉଥିବା ଦେଖିବାକୁ ମିଳିଛି ।