ନବରଙ୍ଗପୁରରେ ମକା ଦେଉଛି ଦୁଃଖ ! ଜିଲ୍ଲାରେ ଚାଷୀ ପରିଶ୍ରମ କରି ଭଲ ମକା ଅମଳ କରିଛନ୍ତି, ହେଲେ ବିକିବାକୁ ନେଇ ଚିନ୍ତାରେ ଚାଷୀ

52
କନକ ବ୍ୟୁରୋ : ନବରଙ୍ଗପୁରରେ ମକା ଦେଉଛି ଦୁଃଖ । ଜିଲ୍ଲାରେ ଚାଷୀ ପ୍ରରିଶ୍ରମ କରି ଭଲ ମକା ଅମଳ କରିଛି । ହେଲେ ବିକିବ କେଉଁଠି ଏହି ଚିନ୍ତାରେ ଚାଷୀ । ସରକାର ଖୋଲିଥିବା ମଣ୍ଡି ମକା କିଣିବାକୁ ରାଜି ହେଉନାହିଁ । ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ବହୁ କମ୍ ଦାମ୍ ଲଗାଉଛନ୍ତି ମଣ୍ଡିକୁ ଆସୁଥିବା ବ୍ୟବସାୟୀ । ଚାଷୀ ଏ ନେଇ ଅଭିଯୋଗ କରୁଥିଲେ ବି ପ୍ରଶାସନ ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଉନାହିଁ । 
ଯେଉଁଆଡକୁ ଚାହିଁବ ଗଦା ଗଦା ମକା । ଲହୁ ଲୁହ ଢାଣି ଅମଳ କରିଥିବା ମକାକୁ କେମିତି ବିକିବ, ଏହି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ନା ଅଛି ଦର ନା ଅଛି ବଜାର । ସରକାର ଯେଉଁ ମକାମଣ୍ଡି ଖୋଲିଛନ୍ତି, ତାହା କେବଳ ପାଲଟିଛି ପ୍ରହସନ । କୁଇଂଟାଲ ପିଛା ୧୪୨୫ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି ସରକାର । ହେଲେ ସରକାରଙ୍କ ମଣ୍ଡିରେ ବି ଏହି ଦାମ ଦେଇ ମକା କିଣିବାକୁ କେହି ରାଜି ହେଉନାହାନ୍ତି । କିଛି ସ୍ଥାନରେ ମଣ୍ଡି ମାତ୍ର ହଜାରେ ଟଙ୍କା ଦର ଲଗାଉଥିବା ଅଭିଯୋଗ ହେଉଛି । ହେଲେ ଚାଷୀଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ପରିସ୍ଥିତିର ଫାଇଦା ନେଇ ଶସ୍ତା ଦରରେ ଟ୍ରକ ଟ୍ରକ ମକା ବାହାର ରାଜ୍ୟକୁ ଚାଲିଯାଉଛି ।ଚାଷୀ ହତାଶ ହେବା ପରେ ସୋମବାର ଦିନ ରାସ୍ତାରେ ମକା ଢାଳି ପ୍ରତିବାଦ କରିଥିଲେ । ରାଜରାସ୍ତା ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇ ଥିଲେ ବି ଚାଷୀଙ୍କୁ କେବଳ ମିଛ ପ୍ରତିଶ୍ରୁତି ମିଳୁଛି । ସବୁ ଜାଣି ନିରବ ରହିଛି ପ୍ରଶାସନ । ନବରଙ୍ଗପୁରର ମକା ସାରା ଦେଶରେ ପ୍ରସିଦ୍ଧ । ଜାତୀୟ ବଜାରରେ ବି ଏହାର ଚାହିଦା ରହିଛି । ହେଲେ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ଦୁର୍ଦ୍ଦଶା ବଢୁଛି ଚାଷୀଙ୍କର । ଫଳରେ ଏକ ବଡ ଧରଣର ଚାଷୀ ଆନ୍ଦୋଳନ ଦାନା ବାନ୍ଧୁଛି ।