୮ରେ ଉଠିବ ଚାଷୀ ପ୍ରସଙ୍ଗ ! ରାଜଭବନ ଘେରାଉ କରିବ ନବ ନିର୍ମାଣ କୃଷକ ସଂଗଠନ, ସଂସଦ ଘେରିବ ବିଜେଡ଼ି, ସଚିବାଳୟ ସମ୍ମୁଖରେ ଗର୍ଜିବ ବିଜେପି ।

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ଆସନ୍ତା ୮ ତାରିଖ ଦିନ ରାଜଭବନ ଘେରାଉ କରିବ ନବ ନିର୍ମାଣ କୃଷକ ସଂଗଠନ ।

103

କନକ ବ୍ୟୁରୋ: ତେଜୁଛି ଚାଷୀ ଆନ୍ଦୋଳନ । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ଆସନ୍ତା ୮ ତାରିଖ ଦିନ ରାଜଭବନ ଘେରାଉ କରିବ ନବ ନିର୍ମାଣ କୃଷକ ସଂଗଠନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ରାଜ୍ୟରେ ୩୬ଲକ୍ଷ ଚାଷୀଙ୍କ ପାଇଁ ମାସିକ ସହାୟକ ଭତା ୫ହଜାର ଟଙ୍କା ଓ ସମ୍ମାନ ଦାବିକୁ ନେଇ ଗତ ନଭେମ୍ବର ୫ ତାରିଖରେ ରାଜଧାନୀରେ ମହାସମାବେଶ କରିବା ପାଇଁ ଆସିଥଲେ ଲକ୍ଷାଧିକ ଚାଷୀ  । କିନ୍ତୁ ଏହି ମହାସମାବେଶ କୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଥିଲେ ବୋଲି ସଂଗଠନ ଅଭିଯୋଗ କରିଛି । ତେବେ ଆସନ୍ତା ୮ ତାରିଖରେ ରାଜଭବନ ସମ୍ମୁଖରେ ହଜାର ହଜାର ଚାଷୀ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବେ ବୋଲି କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।

ରାଜ୍ୟର ୩୬ଲକ୍ଷ ଚାଷୀଙ୍କ ପାଇଁ ମାସିକ ସହାୟକ ଭତା ୫ହଜାର ଟଙ୍କା ଓ ସମ୍ମାନ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ୨୧ହଜାର ୬୦୦ କୋଟି ଟଙ୍କା ଆବଶ୍ୟକ  । କିନ୍ତୁ ଏହି ବାବଦରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି, ବରଂ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସମାଲୋଚନା କରିଛନ୍ତି ଅକ୍ଷୟ କୁମାର । ତେବେ କୃଷି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ପ୍ରତି ଚାଷୀ ପରିବାରକୁ ସେମାନଙ୍କ ନାର୍ଯ୍ୟ ଅଧିକାର ନମିଳିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଚାଷୀ ସଂଗଠନ ନେତା ଅକ୍ଷୟ କୁମାର ।

BJP-odishaସେପଟେ କୃଷି ଓ କୃଷକଙ୍କ ସମସ୍ୟା ନେଇ ଆସନ୍ତା ୮ ତାରିଖରେ ବିଜେଡି ପାର୍ଲାମେଂଟ ଘେରାଉ କରିବ । ଅନ୍ୟପଟେ ବିଜେପି ମଧ୍ୟ ଚାଷୀଙ୍କ ପ୍ରସଙ୍ଗକୁ ମୁଦ୍ଦା କରି ସଚ୍ଚିବାଳୟ  ଘେରାଉ କରିବାକୁ ନିଷ୍ପତି ନେଇଛି । ତେବେ ବର୍ତ୍ତମାନ ଏଭଳି ଚାଷୀ ଆନ୍ଦୋଳନ ପ୍ରକୃତରେ କେତେ ଫଳପ୍ରଦ ହେବ ନା ପୂଣି ଚାଷୀ ପରିବାରକୁ ପୂର୍ବପରି ସମସ୍ୟାରେ ରହିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।