ଆସନ୍ତାକାଲି ଚକାଜାମ୍ କରିବେ ଚାଷୀ । ଓଡିଶାରେ ଅଖ ଜାମ୍ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ ।

223

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ସାରା ଭାରତରେ ଚକାଜାମ ଡାକରା ଦେଇଛନ୍ତି ଚାଷୀ । ଏଥିପାଇଁ ଦିଲ୍ଲୀର ସୀମାରେ ୩ଟି ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ଫୋର୍ସ ମୁତୟନ କରାଯାଇଛି । ଏକାଧିକ ସ୍ତରୀୟ ବାରିକେଡ କରାଯିବା ସହିତ ରାସ୍ତାରେ କଂଟା ଓ ତାର ଲଗାଯାଇଛି । ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ କହିଛନ୍ତି ଦେଶରେ ଏହି ଚକାଜାମ ଶାନ୍ତିପୂର୍ଣ୍ଣ ହେବ । ତେବେ ଦିଲ୍ଲୀରେ ଚକା ଜାମ ହେବ ନାହିଁ ।

କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ଓଡିଶାରେ ମଧ୍ୟ ଅଖ ଜାମ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ । ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗରେ ବୁଝାଯିବ । ତେବେ ଏହି ଆନ୍ଦୋଳନକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଚାଷୀ ଆନ୍ଦୋଳନ ହିଂସାତ୍ମକ ନହେଉ । ଆଲୋଚନାରୁ ନିଷ୍କର୍ସ ବାହାରିବ ବୋଲି କହିଛନ୍ତି ଶଶିଭୂଷଣ । ଅନ୍ୟପଟେ ଏହି ଚକାଜାମକୁ ସମର୍ଥନ କରିଛି କଂଗ୍ରେସ । ଚାଷୀଙ୍କ ଆନ୍ଦୋଳନକୁ ସରକାର ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ବିଜେପି କୃଷି ଆଇନ ଲାଗୁ ହେବା ଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି ଦୋହରାଇଛି ।