ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୋଟିଆ ପରେ ଗଂଜାମର ପାତ୍ରପୁର ବ୍ଲକର ୧୦ଟି ଗାଁରେ ହେବାକୁ ଯାଉଛି ଆନ୍ଧ୍ର ନିର୍ବାଚନ । 

104

କନକ ବ୍ୟୁରୋ: ଓଡିଶାର ଗଂଜାମ ଓ ଆନ୍ଧ୍ର ସୀମାନ୍ତ ଅଂଚଳରେ ଭଲ ରାସ୍ତା, ଭଲ ଘର ଏବଂ ଏକ ଭଲ ଜୀବନ ଶୈଳୀର ଘୋର ଅଭାବ । ଏହି କାରଣରୁ ବୋଧହୁଏ ସହଜରେ ଆନ୍ଧ୍ର ଏସବୁ ଗାଁରେ କବଜା କରିବାକୁ ଉଦ୍ୟମ କରୁଛି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପାତ୍ରପୁର ବ୍ଲକର ୪ଟି ପଂଚାୟତରେ ଆନ୍ଧ୍ର ନିର୍ବାଚନ ପାଇଁ ଭୋଟ ହେବ । ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଆନ୍ଧ୍ର ପଂଚାୟତ ନିର୍ବାଚନ ପାଇଁ ତୁମ୍ବା ପଂଚାୟତର ତିନୋଟି ଗାଁ କୁଲାଡି, ସାତପୁରୀ ଓ ବାବନସାହିର ଲୋକେ ଭୋଟ ଦେବେ ।

ଏହାଛଡା ବୁରାତାଳ ପଂଚାୟତର ଦୁଇଟି ଗାଁ ବୁରାତାଳ ଓ ବୁଢିଖଳା ଲୋକେ ମଧ୍ୟ ଭୋଟ ଦେବେ । ସେହିପରି ଗୁଡିପଦର ପଂଚାୟତର ଶ୍ରୀବଳରାମପୁର ଏବଂ ଇ ନୂଆଗାଁ ଗାଁ ପଂଚାୟତର ଜୟପୁର, ଶରଧାପୁର-ଏ, ଶରଧାପୁର-ବି, ଶରଧାପୁର-ସି ଗାଁର ଲୋକେ ଆନ୍ଧ୍ର ନିର୍ବାଚନରେ ଭୋଟ ଦେବେ ।  କେବଳ ଭୋଟ ଦେବା କଥା ନୁହେଁ । ତୁମ୍ବା ପଂଚାୟତର କୁଲାଡି ଗାଁର ସାବିତ୍ରୀ ଶବର ନାମକ ଜଣେ ମହିଳା ଆନ୍ଧ୍ରର ଏକ ପଂଚାୟତର ୱାର୍ଡ ମେମ୍ବର ଭାବେ ନିର୍ବାଚନ ଲଢୁଛନ୍ତି ।

ଓଡିଶାରେ ଆନ୍ଧ୍ରର ନିର୍ବାଚନ ବଡ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ପୂର୍ବରୁ ଆନ୍ଧ୍ର ସରକାର ଗଂଜାମ ଜିଲ୍ଲାରେ କେତେବେଳେ ରାସନ କାର୍ଡ, ଓଡିଶାର ଜମି ପଟ୍ଟା ଓ ବାର୍ଧକ୍ୟ ଭତା ଆଦି ସୁବିଧା ଦେଇ ଆନ୍ଧ୍ର ପ୍ରତି ସହୃଦୟତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏହା ଏବେ ସତର୍କ ଘଂଟି ନୁହେଁ ବରଂ ଏକ ବିପଦ ସାଜି ସାମ୍ନାକୁ ଆସିଛି ।