ରେଳ ବଜେଟକୁ ନେଇ ବିଜେପିକୁ ବିଜେଡିର ପ୍ରଶ୍ନ । ୭ ବର୍ଷରେ ରେଳ ବିଭାଗ ଓଡ଼ିଶାରୁ ପାଇଛି କେତେ, ଓଡ଼ିଶାକୁ ମିଳିଛି କେତେ? ବିଭିନ୍ନ ପ୍ରକଳ୍ପର କଥା ଉଠାଇ ବିଜେପି ନେତାଙ୍କୁ ଜବାବ ମାଗିଲା ବିଜେଡି ।

121

କନକ ବ୍ୟୁରୋ : ୨୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ତେ୍ୱ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ରେ ବଜେଟ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ଦର୍ଶାଉଛି । ଏହା ନୈରାଶ୍ୟଜନକ ଏବଂ ଉଦ୍ଦେଶ୍ୟମୂଳକ ଭାବେ ଲୁଣ୍ଠନ ପାଇଁ ଚେଷ୍ଟା କରୁଥିବା ରେଳ ବଜେଟ ଭଳି ଲାଗୁଛି ବୋଲି କହିଛି ବିଜେଡି । ଏନେଇ ବିଜେପି ସରକାରକୁ ପ୍ରଶ୍ନ କରିଛି ବିଜେଡି । ସ୍ୱାଧୀନତା ପରେ ଓଡ଼ିଶା ପାଇଁ କେବଳ ୬ଟା ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି ।

୧. ପ୍ରତ୍ୟେକ ବର୍ଷ ଭାରତୀୟ ରେଳ ବିଭାଗ ଓଡ଼ିଶାରୁ ୨୦,୦୦୦ କୋଟିର ରାଜସ୍ୱ ଆଦାୟ କରିଥାନ୍ତି । ଯଦି ୭ ବର୍ଷର ହିସାବ କରାଯାଏ ତେବେ ତାହା ୧୪୦,୦୦୦ କୋଟି କିନ୍ତୁ ପାଇଛନ୍ତି କେତେ? ବିଗତ ସାତ ବର୍ଷରେ ଓଡ଼ିଶା ୨୦୦୦ କୋଟି ବାର୍ଷିକ ହିସାବରେ ପାଇଛି ୧୪,୦୦୦ କୋଟି । ବିଜେପିର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱମାନେ ଉତ୍ତର ଦେବେ କି? ୧୪୦,୦୦୦ କୋଟି ଦେଇଥିବା ରାଜ୍ୟ ୧୪,୦୦୦କୋଟି କେଉଁ ହିସାବରେ ପାଇବେ । ଏହା ଆମ ରାଜ୍ୟପ୍ରତି ବୈମାତୃକ ମନୋଭାବର ନିଦର୍ଶନ ନୁହେଁ କି?

୨. ବିଗତ ୭ ବର୍ଷ ଭିତରେ ମାତ୍ର ଗୋଟିଏ ଜିଲ୍ଲାକୁ ନୂଆ ରେଳ ଲାଇନ ଛୁଇଁଛି । ଯଦି ଏହି ଗତିରେ ରେଳ ପ୍ରକଳ୍ପ ଚାଲେ ତେବେ ରେଳ ଲାଇନ ନଥିବା ୬ଟି ଜିଲ୍ଲାକୁ ପାଖାପାଖି ୪୨ ବର୍ଷ ଲାଗିବ ବୋଲି ଅନୁମାନ କରାଯାଇପାରେ । ଏନେଇ ବିଜେପି ବିର୍ତକକୁ ଆସୁ ବୋଲି ବିଜେଡି କହିଛି ।

୩. ପ୍ରାୟ ୨୫ବର୍ଷ ବିତିଗଲାଣି, କିନ୍ତୁ ଖଣ୍ଡା-ବଲାଙ୍ଗୀର ରେଳ ଲାଇନର ୨୯୦ କିଲୋମିଟର ମଧ୍ୟରୁ ୯୦ କିଲୋମିଟରରେ ଶେଷ ହୋଇଛି । ରାଜ୍ୟ ସରକାରଙ୍କର ନିତିଗତ ନିଷ୍ପତ୍ତି ଯେ, ଅଧା ଖର୍ଚ୍ଚ ବହନ କରିବେ ଏବଂ ମାଗଣାରେ ଜମିଦେବା ସତ୍ତେ୍ୱ ଆଜି ପର୍ଯ୍ୟନ୍ତ ଏ କାର୍ଯ୍ୟ ସରୁ ନାହିଁ ।

୪. ୨୦୦୩ରେ ନିଷ୍ପତ୍ତି ନେବାପରେ ତାଳଚେର-ବିମଳାଗଡର ୧୫୫ କି.ମି. ବିଶିଷ୍ଟ ରେଳ ଲାଇନ ଏବେପର୍ଯ୍ୟନ୍ତ ମୋଟ ୨୦ କିଲୋମିଟରରେ ଅଟକିଛି । ଗୋଟିଏ କିଲୋମିଟର ରେଳ ଲାଇନ ପାଇଁ ୨୦ କୋଟି ଆବଶ୍ୟକତା ହେଉଥିବା ବେଳେ ଚଳିତ ବର୍ଷର ବଜେଟରେ ଏହି ପ୍ରୋଜେକ୍ଟ ପାଇଁ ମାତ୍ର ୧୦ କୋଟି ବ୍ୟୟ ବରାଦ କରାଯାଇଛି । ଏହି ଗତିରେ କାର୍ଯ୍ୟ ଚାଲିଲେ କାମ ସରିବାକୁ ୨୦୦ ବର୍ଷ ଲାଗିବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଜୁଏଲ ଓରାମଙ୍କୁ ବିଜେଡି ପ୍ରଶ୍ନ କରିଛି ଯେ, ଓଡ଼ିଶା ପ୍ରତି ଏଭଳି ବୈମାତୃକ ମନୋଭାବ କଣ ପାଇଁ?

ଗୁଣୁପୁର-ଥେରୁବାଲି ରେଳ ଲାଇନ ପାଇଁ ଏଯାଏଁ କାହିଁକି ଜମି ରେଜିଷ୍ଟ୍ରେସନ କରାଯାଇନାହିଁ । ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳ ଲାଇନର ଘୋଷଣା କରି ଏହା ବାବଦକୁ ଆର୍ଥିକ ସହାୟତା ଓ ଜମି ଯୋଗାଇଦେବାକୁ କହିଥିଲେ ମଧ୍ୟ ଏ ପ୍ରକଳ୍ପରେ କାହିଁକି କୌଣସି ଅଗ୍ରଗତି ଦେଖାଯାଉ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉତ୍ତର ଦେବେ କି ବୋଲି ପ୍ରଶ୍ନ କରିଛି ବିଜେଡି । ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ମଧ୍ୟ ପ୍ରଶ୍ନ କରିଛି ବିଜେଡି । ଜଳେଶ୍ୱର-ଦୀଘା ରେଳ ସଂଯୋଗୀକରଣକୁ ଖାରଜ କରାଯାଇ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଲୋକଙ୍କୁ ସମସ୍ୟା ଭିତରକୁ କାହିଁକି ଠେଲି ଦିଆଯାଉଛି ସେନେଇ ପ୍ରତାପଙ୍କୁ ପ୍ରଶ୍ନ କରିଛି ବିଜେଡି । ହରିଦାସପୁର-ପାରାଦୀପ ଭାୟା କେନ୍ଦ୍ରାପଡା, ଅନୁଗୁଳି-ସୁକିନ୍ଦା ପାଇଁ କେବଳ ମାଲବାହୀ ଟ୍ରେନର ବ୍ୟବସ୍ଥା ହୋଇଛି । ଏହି ଲାଇନରେ ପାସେଞ୍ଜର ଟ୍ରେନ ଯିବାପାଇଁ କଣ ପାଇଁ ବ୍ୟବସ୍ଥା ହୋଇପାରୁନାହିଁ । ଏନେଇ ଉତ୍ତର ଦେବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ?