ଗିରଫ ହେଲା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ: ଟେରର ଫଣ୍ଡିଂ ମାମଲାରେ ଲସ୍କର ଇ ତୋଇବା ଆତଙ୍କୀ ଲଖଭିକୁ ବାନ୍ଧିଲା ପାକିସ୍ତାନ ସ୍ୱତନ୍ତ୍ର ପୋଲିସ

୨୦୧୫ରୁ ଜାମିନରେ ଥିଲା ମୁମ୍ବାଇ ଆକ୍ରମଣର ଖଳନାୟକ

94

କନକ ବ୍ୟୁରୋ: ମୁମ୍ବାଇ ଆକ୍ରମଣ ଘଟଣାର ଅନ୍ୟତମ ମାଷ୍ଟର ମାଇଣ୍ଡ ଲକ୍ଭିକୁ ଗିରଫ କରିଛି ପାକିସ୍ତାନ ପୁଲିସ । ଟେରର ଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଲସ୍କର-ଇ-ତୋଇବାର ଏହି ପ୍ରମୁଖ ନେତା ମୁମ୍ବାଇ ଆକ୍ରମଣ ମାମଲାରେ ଗିରଫ ପରେ ୨୦୧୫ରୁ ଜାମିନରେ ରହିଥିଲା । ୨୬-୧୧ ଆକ୍ରମଣ ଘଟଣାର ଷଡଯନ୍ତ୍ରରେ ଆତଙ୍କବାଦୀ ଲକ୍ଭିର ପ୍ରମୁଖ ହାତ ରହିଥିଲା ।

ମୁମ୍ବାଇ ଆକ୍ରମଣ ମାଷ୍ଟର ମାଇଣ୍ଡ ଗିରଫ । ଲସ୍କର-ଇ-ତୋଇବା ଆତଙ୍କୀ ଲଖଭି ଗିରଫ । ୨୬-୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲସ୍କର ଇ ତୋଇବାର ଅପରେସନ କମାଣ୍ଡର ଜାକି-ଉର-ରେହମାନ ଲଖଭିକୁ ପାକିସ୍ତାନରେ ଗିରଫ କରିଥିବା ନେଇ ସୂଚନା ମିଳିଛି । ଆତଙ୍କୀ ବିରୋଧୀ ବିଭାଗ ଟେରର ଫଣ୍ଡ ମାମଲାରେ ଗିରଫ କରିଥିବା ନେଇ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।

ଏକ ଡିସପେନସରୀ ଜରିଆରେ ଲଖଭି ଆତଙ୍କବାଦ ପାଇଁ ଅର୍ଥ ସଂଗ୍ରହ କରୁଥିବା ନେଇ ଲାହୋର ପୋଲିସ ନିକଟରେ ଏକ ମାମଲା ରୁଜୁ ହୋଇଥିବା ସିଡିଟି ସୂଚନା ଦେଇଛି । ଏହି ଅର୍ଥକୁ ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ମଧ୍ୟ ଏହି ଆତଙ୍କବାଦୀ ବ୍ୟବହାର କରୁଥିବା ଜଣାପଡିଛି । ଲଖଭି ବିରୋଧରେ ଲାହୋର ସ୍ଥିତ ଆଂଟି ଟେରରିଜମ୍ କୋର୍ଟରେ ମାମଲାର ଶୁଣାଣି ହେବ ।
୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଲସ୍କର-ଇ ତୋଇବାର ଆତଙ୍କବାଦୀମାନେ ମୁମ୍ବାଇରେ ଏକାଧିକ ସ୍ଥାନରେ ବିସ୍ଫୋରଣ ଘଟାଇଥିଲେ । ଏହି ଘଟଣାରେ ମୋଟ ୧୭୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୨୯ ଜଣ ବିଦେଶୀ ମଧ୍ୟ ସାମିଲ ଥିଲେ । ପାକିସ୍ତାନର ହସ୍ତକ୍ଷେପ ପରେ ଏବେ ବି ପ୍ରମୁଖ ଅଭିଯୁକ୍ତମାନଙ୍କୁ ଶାସ୍ତି ମିଳିପାରି ନାହିଁ ବୋଲି ଭାରତ ଅଭିଯୋଗ କରିଆସୁଛି ।