ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମୋଗଲ ଗାର୍ଡେନ ! ପତ୍ନୀଙ୍କ ସହ ମୋଗଲ ଗାର୍ଡେନର ଶୋଭା ଉପଭୋଗ କଲେ ରାଷ୍ଟ୍ରପତି

90

କନକ ବ୍ୟୁରୋ : ଆଜିଠୁ ଖୋଲିଲା ମୋଗଲ ଗାର୍ଡେନ୍ । ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍ ଆଜିଠୁ ପୁଣି ଥରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଗଲ୍ ଗାର୍ଡେନର ବାର୍ଷିକୋତ୍ସବକୁ ଉଦଘାଟନ କରିଛନ୍ତି । ଏହି ସମୟରେ କୋବିନ୍ଦଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ । ଏହା ପରେ ଉଭୟ ମୋଗଲ୍ ଗାର୍ଡେନ୍ ଭିତରେ ବୁଲି ଦେଖିଥିଲେ । ବିଶ୍ୱର ସବୁଠୁ ସୁନ୍ଦର ଗୋଲାପ ବଗିଚା ମଧ୍ୟରେ ଅନ୍ୟତମ ମୋଗଲ ଗାର୍ଡେନରେ ପ୍ରାକୃତିକ ଶୋଭାରାଜିକୁ ଅନେକ ସମୟ ଧରି ଉପଭୋଗ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପତ୍ନୀ ସବିତା କୋବିନ୍ଦ । ଏଥର ଉଦ୍ୟାନୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଟ୍ୟୁଲିପ୍ ବଲବ ।

ମୋଗଲ ଗାର୍ଡେନରେ ଶୋଭାବୃଦ୍ଧି ପାଇଁ ନେଦରଲାଣ୍ଡରୁ ସ୍ୱତନ୍ତ୍ର ଭାବେ ଆସିଛି ୧୦ ହଜାର ଟ୍ୟୁଲିପ୍ । ଏହା ସହ ୧୩୫ ପ୍ରକାର ଗୋଲାପ ଫୁଲ ଆଉ ୭୦ କିସମର ବିଭିନ୍ନ ଋତୁରେ ଫୁଟୁଥିବା ଫୁଲ । ଏହି ଫୁଲ ଗୁଡିକ ମଧ୍ୟରେ ରହିଛି ଟ୍ୟୁଲିପ୍, ମୋଗରା-ମୋତିୟା, ରଜନୀଗନ୍ଧା, ବେଲା, ରାତ୍ କି ରାନୀ, ଜୁହୀ, ଚମ୍ପା-ଚମେଲୀ ଭଳିକି ଭଳି ରଙ୍ଗୀନ୍ ଫୁଲ । ପ୍ରତିବର୍ଷ ହଜାର ହଜାର ଲୋକ ମୁଗଲ ଗାର୍ଡେନର ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ଆସିଥାନ୍ତି । ଆଉ ଏହାର ଅପୂର୍ବ ମନଲୋଭା ଦୃଶ୍ୟ ସହ ତାଜା ପବନର ମଜା ଉଠାଇଥାନ୍ତି । ପ୍ରେସିଡେଂଟ୍ ଇଷ୍ଟେଟର ୩୫ ନମ୍ବର ଗେଟ୍ ଦେଇ ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ଭବନର ନର୍ଥ ଏଭିନ୍ୟୁ ନିକଟରେ ରହିଛି ଏହି ଗେଟ୍ ।