ଶ୍ରୀକାନ୍ତଙ୍କ ବହିଷ୍କାର ସମୀରଙ୍କୁ ବାଧିଲା ! ପଟ୍ଟନାୟକ ପରିବାରକୁ କଲେ ସମାଲୋଚନା, ଜବାବ ରଖିଲେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।

381

କନକ ବ୍ୟୁରୋ: କଂଗ୍ରେସରୁ ଶ୍ରୀକାନ୍ତ ଜେନାଙ୍କ ବହିଷ୍କାର ପରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଅଭିଯୋଗର ଜବାବ ରଖିଲେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ କହିଛନ୍ତି ଯେ, “ଇତିହାସକୁ ରାଜନେତା ମାନେ ଅତି ଶୀଘ୍ର ଭୁଲିଗଲେ ଚଳିବ ନାହିଁ, ମୁଁ ଯେତେବେଳେ ବିଜେପିରେ ଥିଲି ସମୀର ମହାନ୍ତି ମଧ୍ୟ ବିଜେପିରେ ଥିଲେ ଏବଂ ସେତେବେଳେ ଜାନକୀ ବାବୁ ଏବଂ ନିରଞ୍ଜନ ବାବୁ କଂଗ୍ରେସରେ ଥିଲେ ନା ନାହିଁ? ମୋ ଠାରୁ ଯେଉଁ ଭଳି ସାହାଯ୍ୟ ଆଉ ସମର୍ଥନ ପାଇଥିଲା ବିଜେପି ସେତେବେଳେ କଂଗ୍ରେସ କଥା ପଚାରିଲେ ବାଧିବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟରଞ୍ଜନ । ଯେତେବେଳେ ଆପଣ ଅନ୍ୟକୁ ଆଙ୍ଗୁଠି ଦେଖାଇଥାନ୍ତି ସେତେବେଳେ ଆପଣଙ୍କ ବୁଢ଼ା ଅଙ୍ଗୁଳି ପ୍ରଥମେ ଆପଣଙ୍କ ଆଡ଼କୁ ହିଁ ଉଠି ଥାଏ , ଏକଥା କାହିଁକି ଭୂଲି ଯାଉଛନ୍ତି କହି ସମୀର ମହାନ୍ତିଙ୍କୁ ପାଲଟା ଜବାବ ଦେଇଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।

କଂଗ୍ରେସରୁ ଶ୍ରୀକାନ୍ତଙ୍କ ବହିଷ୍କାର ବିଜେପିକୁ ଅଧିକ ବାଧିଛି । ଯେଉଁଥି ପାଇଁ ଶ୍ରୀକାନ୍ତ ବହିଷ୍କାର ପରେ ତାଙ୍କ ଓକିଲାତି କରି ପିସିସି ସଭାପତି ଓ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି । ସମୀର ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତିଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଆଉ ଏହାର ଲିଙ୍କ୍ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ରହିଛି ବୋଲି ଆରୋପ ଲଗାଇଛନ୍ତି ସମୀର । ଯାହା ଏବେ ରାଜନୀତି ପାରଦକୁ ଉଷ୍ମ କରିଛି ।