ବେଆଇନ ନିଶା କାରବାରର ପର୍ଦ୍ଦାଫାଶ । କଫସିରଫ ମାଫିଆଙ୍କ ଗୁମର ଖୋଲିଲା ବଲାଙ୍ଗିର ପୋଲିସ ।

309

କନକ ବ୍ୟୁରୋ : ନିଶା କାରବାରର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୋଲିସ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଫସିରଫ ମାଫିଆମାନେ ପୁରା ଗ୍ୟାଙ୍ଗ ସହିତ ମାତିଥିଲେ ଏହି ନିଶା କାରବାରରେ । ପୋଲିସର ବାରମ୍ବାର ଧରପଗଡ ପରେ ମଧ୍ୟ ବେଧଡକ ଚାଲିଥିଲା ଏହି କାରବାର । ଶେଷରେ ବଲାଙ୍ଗିର ପୋଲିସ ମାଷ୍ଟରମାଇଣ୍ଡକୁ ଭୁବନେଶ୍ୱରରୁ ଗିରଫ କରିବାରେ ସଫଳ ହୋଇଛି ।

ବେଆଇନ ନିଶା କାରବାରର ପର୍ଦ୍ଦାଫାଶ । ଗୁମର ଖୋଲିଲା ବଲାଙ୍ଗିର ପୋଲିସ । ପୋଲିସ କବଜାରେ ଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କଫସିରଫ ମାଫିଆ ସାନ ନେଗୀ । ସାନ ନେଗୀର ଇସାରାରେ ଚାଲିଥିଲା ନିଶା କାରବାର । ରାୟପୁରରୁ ବଲାଙ୍ଗିର ଦେଇ ଓଡିଶାରେ ନିଶା କାରବାରର କାୟା ବିସ୍ତାର କରିଥିଲା ଏହି କଫସିରଫ ମାଫିଆ । ପୋଲିସ ଏହି ମାଫିଆକୁ ଭୁବନେଶ୍ୱରରୁ ଗିରଫ କରିଛି ।

ବଲାଙ୍ଗିରରେ ଗତ କିଛି ମାସ ଧରି ଚାଲିଥିଲା ଏହି କଳା କାରବାର । ଗତ ମାର୍ଚ୍ଚ ୮ ତାରିଖରେ କଫସିରଫ ମାଫିଆଙ୍କ ଗାଡି ଉପରେ ଚଢଉ କରିଥିଲା ପୋଲିସ । ବିପୁଳ ପରିମାଣର କଫସିରଫ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ଖସି ଯାଇଥିଲା ମାଷ୍ଟରମାଇଣ୍ଡ ସାନ ନେଗୀ । ଏହି ଗିରଫଦାରୀ ପରେ ପୋଲିସକୁ ମିଳିଥିଲା ଲିଡ୍ । ଆଉ ଏହାକୁ ଧରି ମାଷ୍ଟରମାଇଣ୍ଡ ସାନ ନେଗୀ ଆଉ ତାର ସହଯୋଗୀ ପ୍ରଶାନ୍ତ କ୍ଷେତୀ ପାଖରେ ପହଂଚିଥିଲା ପୋଲିସ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସାନ ନେଗୀର ସମ୍ପର୍କ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସହିତ ଥିଲା ବୋଲି ସୂଚନା ଦେଇଛି ପୋଲିସ ।

ସମ୍ବଲପୁର, ବରଗଡ, ବଲାଙ୍ଗିର ଓ ଆଖପାଖ ଅଂଚଳରେ ବେଧଡକ ଚାଲିଥିଲା ଏହି କଫସିରଫ ନିଶା କାରବାର । ଏପରିକି ଗତବର୍ଷ ନଭେମ୍ବର ୨୮ରେ ନିଶା କାରବାରକୁ କେନ୍ଦ୍ର କରି ଜଣେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିଲା । ଆଉ ନିଶା ଖାଇ ମଧ୍ୟ କିଛି ମାଫିଆ ଘଟାଇଥିଲେ ଆଉ ଏକ ହତ୍ୟାକାଣ୍ଡ । ଏହି ଦୁଇଟି ହତ୍ୟାକାଣ୍ଡ ପରେ କଫସିରଫ ମାଫିଆଙ୍କୁ ଖୋଜୁଥିଲା ପୋଲିସ । ଶେଷରେ ପୋଲିସକୁ ମିଳିଥିଲା ସଫଳତା ।