ବିନା ବାଧାରେ ରାଜ୍ୟରେ ଆଗେଇ ଚାଲିଛି କରୋନା ଟିକାକରଣ । ପ୍ରଥମ ପର୍ଯ୍ୟାୟ ଟାର୍ଗେଟ ପୂରଣ ପାଇଁ ଟିକାଦାନ କେନ୍ଦ୍ର ବଢାଇଲେ ସରକାର, ଏପଟେ ଆଜି ଆହୁରି ଆସିବ କୋଭିସିଲ୍ଡ ଟିକା

123
କନକ ବ୍ୟୁରୋ : ରାଜ୍ୟରେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଥିବାବେଳେ, ଆଜି ପହଞ୍ଚିବ ଦ୍ୱିତୀୟ ଦଫା କରୋନା ଟିକା । ଆଜି ରାଜଧାନୀ ଭୁବନେଶ୍ୱରରେ ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି ଜଣାପଡିଛି । ପୂର୍ବରୁ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ରାଜ୍ୟକୁ ୪ ଲକ୍ଷ ୮ ହଜାର କୋଭିସିଲ୍ଡ ଟିକା ଆସିଥିଲା ।
ଦ୍ୱିତୀୟ ଦଫା କରୋନା ଟିକା ପହଞ୍ଚିବା ପରେ, ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ  ଯୋଦ୍ଧାଙ୍କ ଟିକାକରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି । ତେଣୁ ପ୍ରଥମ ଟାର୍ଗେଟ୍ ଗ୍ରୁପର ଟିକାକରଣ ଆଗାମୀ ୨୫ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଟିକାକରଣ ଅଭିଯାନକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି ।
ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ମୋଟ୍ ୧୬ଶହ ୯୮ଟି ସେସନରେ ଟିକାକରଣ କରିବାକୁ ସ୍ଥିର କରିଛି ସ୍ୱାସ୍ଥ୍ୟ ବିଭାଗ । ଆଜି ୧୯୨ଟି ସେସନ୍, ବୁଧବାର- ୯୨ ସେସନ୍, ଗୁରୁବାର- ୪୩୬ଟି ସେସନ୍, ଶୁକ୍ରବାର- ୧୪୧, ଶନିବାର- ୧୭୮, ରବିବାର ବିରତି ପରେ ଆଗାମୀ ସୋମବାର ପୁଣି ୨୭୯ଟି ସେସନରେ ଟିକାକରଣ କରାଯିବାକୁ ସ୍ଥିର ହୋଇଛି ।