ଲୋକସଭାରେ ମୋଦି–ସୋନିଆ ମୁହାଁମୁହିଁ : ଅଗଷ୍ଟକ୍ରାନ୍ତି ବିତର୍କରେ ଭାଗ ନେଇ ବିଜେପିକୁ କାଠଗଡାରେ ଠିଆ କଲେ ସୋନିଆ

35

କନକ ବ୍ୟୁରୋ : ସଂସଦରେ ମୁହାଁମୁହିଁ ଦୁଇ ପ୍ରମୁଖ ରାଜନୈତିକ ଦଳର ସର୍ବମାନ୍ୟ ନେତା । ଭାରତ ଛାଡ ଆନ୍ଦୋଳନର ୭୫ବର୍ଷ ପୂର୍ତି ଅବସରରେ ସଂସଦରେ ଚାଲିଥିବା ଚର୍ଚ୍ଚାବେଳେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭାରେ ଆଜି ବିଜେପିର ନାଁ ନନେଇ ଖୋଲାଖୋଲି ବର୍ଷିିଛନ୍ତି ସୋନିଆ ଗାନ୍ଧି । କହିଛନ୍ତି, ଦେଶରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

ବ୍ୟକ୍ତି ଓ ସଂଗଠନର ସୁରକ୍ଷା ପାଇଁ ଭାରତଛାଡ ଆନ୍ଦୋଳନ ପରି ପୁଣି ଏକ ଆନ୍ଦୋଳନର ଆବଶ୍ୟକତା ଥିବା ସେ ଗୃହରେ କହିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିବ୍ୟକ୍ତି ରଖି ଦେଶବାସୀଙ୍କୁ ଦେଇଛନ୍ତି ନୂଆ ସ୍ଲୋଗାନ । ମୋଦି କହିଛନ୍ତି ଭାରତଛାଡ ଆନ୍ଦୋଳନ ପାଇଁ ଗାନ୍ଧିଙ୍କ ଆହ୍ୱାନ ଥିଲା ‘କରେଙ୍ଗେ ୟା ମରେଙ୍ଗ, । କିନ୍ତୁ ଆଜିର ଦିନରେ ଦେଶବାସୀଙ୍କ ପାଇଁ ଆହ୍ୱାନ ହୋଇଛି- ‘କରେଙ୍ଗେ ଔର କରକେ ରହେଙ୍ଗେ’ । ଅର୍ଥାତ କରିବୁ ଏବଂ ନିଶ୍ଚିତ କରିବୁ । ଏବେ ଆଉ ଆମର ନେତୃତ୍ୱ ନେବାକୁ ଗାନ୍ଧି ନାହାଁନ୍ତି । କିନ୍ତୁ ଆମ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ପୂରଣ କରିବାକୁ ଦେଶର ୧୨୫ କୋଟି ଲୋକ ଏକାଠି ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି ।