ମା’ କୁ ଫାଶିଦଣ୍ଡରୁ ମୁକ୍ତି ଦେବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କଲା ୧୨ ବର୍ଷର ପୁଅ । ଜେଲରେ ହୋଇଥିଲା ଜନ୍ମ । ଏବେ ପୋଷ୍ୟପୁତ୍ର ଭାବେ କାଟୁଛନ୍ତି ଜୀବନ

1,095

କନକ ବ୍ୟୁରୋ : ମା’ ସେ ଦିବ୍ୟାଙ୍ଗ ହେଉକି ଦିବ୍ୟଶକ୍ତି, ସେ ଅମଣିଷ ହେଉ କି ମଣିଷ ହତ୍ୟାକାରୀ । ସେ କେବଳ ମା’ ଏକଥା କେହି ବୁଝୁ ବା ନବୁଝୁ , ଏକଥାକୁ ହୃଦୟଙ୍ଗମ କରିଛନ୍ତି ୧୨ ବର୍ଷର ବାଳକ ତାଜ୍ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମଙ୍କ ଜେଲରେ ଜନ୍ମ ହୋଇଥିବା ବାର ବର୍ଷ ବୟସ୍କ ପୁତ୍ର ତାଜ ଆଜି (ଗୁରୁବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ତାଙ୍କ ମା’ଙ୍କ ତରଫରୁ ଦୟା ଏବଂ ରାଜକ୍ଷମା ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତି। ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ନିଜ ମା’ଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଶେଷ ଉଦ୍ୟମ କରି ତାଜ ଦୟା ଆବେଦନକୁ ସମୀକ୍ଷା କରି ତାଙ୍କ ମା’ଙ୍କୁ କ୍ଷମା କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସବନମ ପୂର୍ବରୁ ତାଙ୍କର ପ୍ରେମିକ ସଲିମଙ୍କ ସହ ଏକାଠି ଫାଶୀଖୁଣ୍ଟରେ ଝୁଲିବା ପାଇଁ କରିଥିବା ଆବେଦନକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିସାରିଛନ୍ତି।

ସବନମ୍ ସେତେବେଳକୁ ଦୁଇ ମାସର ଗର୍ଭବତୀ ଥିଲେ ଯେତେବେଳେ ସେ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ପ୍ରେମିକ ସଲିମ ସହ ମିଶି କୁରାଢ଼ିରେ ହାଣି ହତ୍ୟା କରିଥିଲେ। ପରେ ସବନମଙ୍କ ଗର୍ଭରୁ ତାଜ ୧୩ ଡିସେମ୍ବର ୨୦୦୮ରେ ମୋରାଦାବାଦ ଜେଲରେ ଜନ୍ମଗ୍ରହଣ କରିଥିଲେ। ପରେ, ସବନମଙ୍କ ବନ୍ଧୁ ଉସମାନ ସୈଫି ତାଜକୁ ଜୁଲାଇ ୩୦, ୨୦୧୫ରେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ନେଇଥିଲେ। ସେତେବେଳେ ତାଜ୍କୁ ବୟସ ମାତ୍ର ଛଅ ବର୍ଷ ସାତ ମାସ ହୋଇଥିଲା।ବୁଲନ୍ଦସହରର ସୁଶୀଲ ବିହାର କଲୋନୀରେ ରହୁଥିବା ସୈଫି ଦମ୍ପତି ତାଜଙ୍କୁ ନିଜ ପୁଅ ପରି ବଢ଼ାଇଥିଲେ। ତାଜ ଏବେ ଷଷ୍ଠ ଶ୍ରେଣୀରେ ପଢ଼ୁଛି ଏବଂ ଦମ୍ପତିଙ୍କୁ ‘ଛୋଟି’ ମମି ଏବଂ ପାପା ବୋଲି ଡାକୁଛି।

ଉସମାନ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ ତାଜ ତାଙ୍କ ମା’ କରିଥିବା ଜଘନ୍ୟ ଅପରାଧ ବିଷୟରେ ଜାଣିଛନ୍ତି। ତଥାପି ସେ ତାଙ୍କ ମା’ଙ୍କୁ ମୃତ୍ୟୁ ଦଣ୍ଡରୁ ରକ୍ଷା କରିବା ପାଇଁ ଦୟା ମାଗି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସବନମ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ଜାଣିବା ପରେ ଉସମାନ ତାଜଙ୍କୁ ଧରି ଗତ ଜାନୁଆରି ୨୧ରେ ରାମପୁର ଜେଲକୁ ଯାଇଥିଲେ ଏବଂ ତାଜ୍ଙ୍କୁ ତାଙ୍କ ମାଙ୍କୁ ଭେଟିବାକୁ ଦେଇଥିଲେ। ସାକ୍ଷାତ ସମୟରେ ସବନମ୍ ତାଙ୍କୁ କୁଣ୍ଢାଇ ଧରି ଜୋରରେ କାନ୍ଦିଥିଲେ। ସେ ତାଙ୍କୁ ଟଫି ଏବଂ ଟଙ୍କା ପ୍ରଦାନ କରିଥିଲେ ଏବଂ ସାକ୍ଷାତ ସମୟ ଶେଷ ନହେବା ପର୍ୟ୍ୟନ୍ତ ତାଙ୍କୁ ନିଜ ପାଖରେ ରଖିଥିଲେ।

ତାଜ୍ଙ୍କୁ ସବନମ୍ ଜଣେ ଭଲ ମଣିଷ ହେବା ପାଇଁ କଠିନ ଅଧ୍ୟୟନ କରିବାକୁ ଏବଂ ତାଙ୍କୁ (ମା’କୁ) ଭୁଲିଯିବାକୁ କହିଥିଲେ ବୋଲି ଉସମାନ କହିଛନ୍ତି। ଉସମାନ ସବନମଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କୁ ଫାଶୀ ଦେବା ପୂର୍ବରୁ ସେ ତାଜକୁ ଶେଷ ଥର ପାଇଁ ଆଉଥରେ ତାଙ୍କ ନିକଟକୁ ନେବେ। ମୃତ୍ୟୁ ପୂର୍ବରୁ ପୁଅକୁ ଭେଟିବାରୁ ସବନମ୍ ବଞ୍ଚିତ ହେବା ଉଚିତ ନୁହେଁ ବୋଲି ଉସମାନ କହିଛନ୍ତି।