ଆଇପିଏଲ୍ ପାଇଁ ଚାଲିଛି ଖେଳାଳି ନିଲାମ । ଏବେ ସୁଦ୍ଧା କ୍ରିସ୍ ମୋରିସ୍ ସବୁଠୁ ଦାମୀ ଖେଳାଳି । ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ ।

305

କନକ ବ୍ୟୁରୋ: ଆରମ୍ଭ ହେଲା ଫଟାଫଟ୍ କ୍ରିକେଟର ମହାକୁମ୍ଭ ପାଇଁ ଖେଳାଳି ନିଲାମି । ୨୦୨୧ ଆଇପିଏଲ ପାଇଁ ପ୍ଲେୟାର ଅକ୍ସନ ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ । ଏଥର ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି କ୍ରିସ୍ ମୋରିସ । ରାଜସ୍ଥାନ ରୟାଲସ୍ କ୍ରିସ୍ ମୋରିସଙ୍କୁ ୧୬.୨୫ କୋଟିରେ କିଣିଛି । ଆଇପିଏଲ ଇତିହାସରେ ଏହା ସବୁଠାରୁ ବଡ ଦାମ ।

ପୂର୍ବରୁ ଏତେ ଦାମରେ କୌଣସି ଫ୍ରାଂଚାଇଜ୍ ଖେଳାଳିଙ୍କୁ କିଣିନଥିଲା । ପୂର୍ବରୁ ଅଷ୍ଟ୍ରେଲିଆ ପେସ୍ ବୋଲର ପ୍ୟାଟ୍ କମିନ୍ସଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୫ କୋଟି ୫୦ ଲକ୍ଷରେ କିଣିଥିଲା । ତେବେ ଏହି ରେକର୍ଡକୁ ଅତିକ୍ରମ କରିଛି ଚଳିତ ବର୍ଷର କ୍ରିସ୍ ମୋରିସଙ୍କ ୧୬ କୋଟିର ବିଗ୍ ପ୍ରାଇସ୍ ।

ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ୍ ମାକ୍ସୱେଲ ମଧ୍ୟ ବଡ ଦାମରେ ବିକ୍ରି ହୋଇଛନ୍ତି । ମାକ୍ସୱେଲଙ୍କୁ ୧୪ କୋଟି ୨୫ ଲକ୍ଷରେ କିଣିଛିି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ମାକ୍ସୱେଲଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିଲା । ହେଲେ ଏହି କଙ୍ଗାରୁ ଅଲରାଉଣ୍ଡରଙ୍କୁ ଏଥର ଆରସିବି ବଡ ଦାମରେ ନେଇଛି । ତା ସହ ଇଂଲଣ୍ଡ ବ୍ୟାଟସ୍ ମ୍ୟାନ୍ ମୋଇନ ଅଲୀଲଙ୍କୁ ୭ କୋଟିରେ କିଣିଛି ଚେନ୍ନାଇ ସୁପରକିଙ୍ଗସ । ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ୍ ହସନଙ୍କୁ ୩.୨ କୋଟିରେ କିଣିଛି କେକେଆର ।

ଏହାବାଦ ଷ୍ଟିଭେନ୍ ସ୍ମିଥ୍ ୨.୨୦ କୋଟିରେ ଦିଲ୍ଲୀ କ୍ୟାପିଟାଲସ, ଶିବମ ଦୁବେକୁ ୪ କୋଟି ୪୦ ଲକ୍ଷରେ କିଣିଛି ରାଜସ୍ଥାନ ରୟାଲସ୍ । ଚଳିତ ବର୍ଷ ଆଇପିଏଲ ଆକ୍ସନରେ ତାଲିକାଭୁକ୍ତ ହୋଇଛନ୍ତି ୨୯୨ ଖେଳାଳି । ସେମାନଙ୍କ ମଧ୍ୟରେ ୧୬୨ ଭାରତୀୟ ଓ ୧୨୫ ବିଦେଶୀ ଖେଳାଳି ରହିଛନ୍ତି । ୧୦ ଜଣଙ୍କ ବେସପ୍ରାଇସ୍ ରହିଛି ୨ କୋଟି । ୮ଟି ଫ୍ରାଞ୍ଚାଇଜ୍ ୬୧ଟି ସ୍ଥାନ ପାଇଁ ଖେଳାଳି ଚୟନ କରିବେ । ଗତବର୍ଷ କରୋନା ମହାମାରୀ ଯୋଗୁଁ ଆଇପିଏଲ ୟୁଏଇରେ ଆୟୋଜିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଭାରତରେ ହିଁ ଆଇପିଏଲ ଆୟୋଜିତ ହେବ ।