ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର

ଅମାନୁଷିକ କାର୍ଯ୍ୟରେ ସମ୍ପୃକ୍ତ ସମ୍ପର୍କୀୟଙ୍କୁ ଉଠାଇ ଆଣିଲା ପୋଲିସ

226

କନକ ବ୍ୟୁରୋ : ଗଂଜାମ ପୋଲସରା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ବଡ ମେଡିକାଲରେ ପଂଚମ ଶ୍ରେଣୀ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ଏହି ଅମାନୁଷିକ କାର୍ଯ୍ୟରେ ସମ୍ପୃକ୍ତ ପୀଡିତାଙ୍କ ସମ୍ପର୍କୀୟଙ୍କୁ ଉଠାଇ ନେଇଛି ପୋଲିସ । ଘଟଣାକୁ ନେଇ ପୋକସୋ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ଦୁଇ ଦିନ ତଳେ ତାଙ୍କ ମାଆଙ୍କ ସହ ଅଜାଘରକୁ ଯାଇଥିଲେ ।

ସେଠାରେ ରହିବା ପରେ ପୁଣି ଆଉ ଏକ ଗାଁରେ ଆଉ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ, ନାବାଳିକକୁ ବିଲକୁ ନେଇ ଦୁଷ୍କର୍ମ କରିବା ସହ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ନାବାଳିକାକୁ ଗୁରୁତର ଓ ଅଚେତ ଅବସ୍ଥାରେ ଧାନିବଲରୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ପୋଲସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ପଚରା ଉଚରା କରୁଛି ।