ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ ଯଜ୍ଞ : ୨୪ରେ ପୂର୍ଣ୍ଣାହୂତି, ସାମିଲ ହେବେ ମୁଖ୍ୟମନ୍ତ୍ରୀ

151

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମି ପୂଜନ ପାଇଁ ଯଜ୍ଞାନୁଷ୍ଠାନ । ଉତରଦ୍ୱାରପଟେ ହୋଇଥିବା ଯଜ୍ଞଶାଳା ଓ ଶିଳାନ୍ୟାସ ସ୍ଥଳରେ କରାଯାଇଛି ସ୍ୱତନ୍ତ୍ର ଆୟୋଜନ । ସ୍ୱତନ୍ତ୍ର ବିଧି ବିଧାନରେ କରାଯାଇଛି ଯଜ୍ଞସ୍ଥଳ ଓ ଅଙ୍କୁରାପୋଣ ପାଇଁ ଗୃହ । ଭୂମିପୂଜନ ଉତ୍ସବର ମୁଖ୍ୟ କର୍ତା ଭାବେ ଗଜପତି ମହାରାଜା ଯଜ୍ଞଶାଳାରେ ଉପସ୍ଥିତ ରହିବା ସହ ପୂର୍ଣ୍ଣାହୂତି ଦେବେ । ସକାଳ ୯ଟା ୩୦ରୁ ଯଜ୍ଞଶାଳାରେ ଯଜ୍ଞ ଆରମ୍ଭ ହୋଇଛି ।

ଏଥିରେ ୩୩ ଜଣ ବରଣ ହୋଇଥିବା ଶ୍ରୋତ୍ରୀୟ ବ୍ରାହ୍ମଣ, ମଠାଧୀଶ ଓ ବେଦପାଠ ପାଇଁ ବେଦ ପାଠକ ଉପସ୍ଥିତ ରହି ଯଜ୍ଞାଧୀକାର୍ଯ୍ୟ କରିବେ । ୨୪ ତାରିଖ ୧୦ଟା ୩୦ରୁ ୧୧ଟା ଭିତରେ ପୂର୍ଣ୍ଣାହୂତି ସମୟ ନିର୍ଘଂଟ ହୋଇଛି । ପୂର୍ଣ୍ଣାହୂତିରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟାରେ ମୁଖ୍ୟ ମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଯୋଗ ଦେବାକୁ ଅନୁରୋଧ କରାଯାଇଛି । ଏହା ସହ ପ୍ରକଳ୍ପକୁ ଜମି ଦାନ କରିଥିବା ୧୩୬ ପରିବାର ଓ ୧୮ଟି ମଠକୁ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିବେ ।