ଜୟପୁର ଜେଲରେ କଏଦୀଙ୍କୁ ଶିଖାଯାଉଛି ଜୀବନ ଜିଇଁବାର କଳା । କଏଦୀ ପ୍ରସ୍ତୁତ କରୁଛନ୍ତି ହଳଦୀ ଗୁଣ୍ଡ ଓ ଫୁଲ ଝାଡୁ ।

143

କନକ ବ୍ୟୁରୋ : ଜେଲ ଭିତରେ ମିନି କାରଖାନା । ସଂସ୍କାର ସହିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, କିଣିବା ପାଇଁ ଲୋକଙ୍କ ଭିଡ଼ । ଜେଲ ଭିତରକୁ ଯିଏ ଆସୁଛି ଯିବା ପାଇଁ ଇଚ୍ଛା କରୁନି । ଜେଲ ଯେ କେବଳ ଦଣ୍ଡ ବିଧାନର ଗୃହ ନୁହେଁ ସସ୍କାର ବି ଦେଇଥାଏ ।

ଜେଲ, ନାଁ ଶୁଣିଲେ ଯିଏ କେହି ବି ଭୟ କରନ୍ତି । ହେଲେ ଜେଲ୍ ଭିତରେ ଲଘୁ ଉଦ୍ୟୋଗ କଥା ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଏବେ ବଜାରରେ ଅନେକ ନକଲି ଖାଦ୍ୟ ପଦାର୍ଥ ଛାଇ ଯାଇଥିବା ବେଳେ କୋରାପୁଟ ଜିଲ୍ଳାର ଜୟପୁର ଜେଲରେ ପ୍ରସ୍ତୁତ ହେଉଛି ଅସଲି ସାମଗ୍ରୀ । ଅଟା, ବେସନ, ମାଣ୍ଡିଆ ଗୁଣ୍ଡ, ହଳଦୀ ଗୁଣ୍ଡ ସହ ପ୍ରସ୍ତୁତ ହେଉଛି ଫୁଲ ଝାଡ଼ୁ । ଆଉ ଏହାକୁ ପ୍ରସ୍ତୁତ କରୁଛନ୍ତି ଜେଲ୍ ଭିତରେ ସଜା କାଟୁଥିବା କଏଦୀ ବା ଅନ୍ତେବାସୀ ।

ଜେଲ୍ ଭିତରେ କିଏ ହଳଦୀ ଗୁଣ୍ଡ ପ୍ୟାକେଟ୍ କରୁଛି ତ ପୁଣି କିଏ ମେସିନରେ ବେସନ ପ୍ରସ୍ତୁତ କରୁଛି । ମହିଳା ଅନ୍ତେବାସୀମାନେ ଫୁଲ ଝାଡ଼ୁ ପ୍ରସ୍ତୁତ କରିବାରେ ବ୍ୟସ୍ତ । ଆଉ କଏଦୀଙ୍କ ଦ୍ୱାରା ପ୍ରସ୍ତତ ହେଉଥିବା ଏହି ସବୁ ସାମଗ୍ରୀକୁ ବଜାରରେ ବିକ୍ରି କରିବା ପାଇଁ ଜେଲ୍ ଭିତରେ ଏକ କାଉଣ୍ଟର ଖୋଲିଛନ୍ତି ଜେଲ୍ କର୍ତ୍ତୃପକ୍ଷ ।

ଜୀବନରେ କରିଥିବା କିଛି ଭୁଲ୍ ପାଇଁ ଜେଲରେ ସଜା କାଟୁଥିବା ଅନ୍ତେବାସୀଙ୍କୁ ସଂସ୍କାର ଦେବା ପାଇଁ ଜୟପୁର ଜେଲର ପ୍ରତ୍ୟେକ କାନ୍ଥରେ ଜୀବନ ସଂସ୍କାର ଚିତ୍ର ଅଙ୍କା ଯିବା ସହ ମହତ ବାଣୀ ଲେଖାଯାଇଛି । ଆଗକୁ ଜେଲ୍ ପରିସରରେ ବିଭିନ୍ନ ପ୍ରକାର ଲଘୁ ଉଦ୍ୟୋଗର ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି ।