ବେକାବୁ ହେଲା କୃଷକ ଆନ୍ଦୋଳନ । ଦିଲ୍ଲୀ ଲାଲକିଲ୍ଲାକୁ କବଜା କରି ଶିଖ ସଂପ୍ରଦାୟର ପତାକା ଉଡାଇଲେ ଆନ୍ଦୋଳନକାରୀ ଚାଷୀ ।

119

କନକ ବ୍ୟୁରୋ : ବେକାବୁ ହେବାରେ ଲାଗିଛି ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ । ଆଜି ଦିଲ୍ଲୀରେ ୭୨ ତମ ଗଣତନ୍ତ୍ର ଦିବସ ପରେଡ ଉପରେ ଯେମିତି ନଜର ରହିଥିଲା ସେମିତି ଚାଷୀଙ୍କ ଟ୍ରାକ୍ଟର ରାଲିର ରୂପରେଖ କଣ ହେବ ତା ଉପରେ ରହିଥିଲା ସାରା ଦେଶର ନଜର । ପୂର୍ବ ଘୋଷଣା ଅନୁସାରେ ଦିଲ୍ଲୀରେ ମାର୍ଚ୍ଚ କରିଛନ୍ତି ଚାଷୀ ସଂଗଠନ । ଆଉ ଏତିକିବେଳେ ପୁଲିସ ଅଟକାଇବାରୁ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ପୁଲିସ ଓ ଚାଷୀ ସଂଗଠନ ମୁହାଁମୁହିଁ ହୋଇଛନ୍ତି ।

କୃଷକଙ୍କ ଟ୍ରାକ୍ଟର ପରେଡ ହେବା ପୂର୍ବରୁ ପୁଲିସ ବ୍ୟାରିକେଡ ଭାଙ୍ଗିଦେଇଛନ୍ତି ବିରୋଧ ପ୍ରଦର୍ଶନକାରୀ । ଆଜି ସକାଳେ ଆନ୍ଦୋଳନରତ କୃଷକ ସଂଗଠନର ଏକ ଗୋଷ୍ଠୀ ସିଙ୍ଘୁ ବର୍ଡରରେ ପୁଲିସ ବ୍ୟାରିକେଡ ଭାଙ୍ଗି ପଦଯାତ୍ରା ଆରମ୍ଭ କରିଛନ୍ତି । ହଜାର ହଜାର କୃଷକ ପତାକା ଧରି ଚାଲି ଚାଲି ସିଙ୍ଘୁ ବର୍ଡରରୁ ଦିଲ୍ଲୀ ଅଭିମୁଖେ ଶୋଭାଯାତ୍ରାରେ ବାହାରିଛନ୍ତି । ଏହି ର୍ୟାଲିରେ ୫ହଜାର ଟ୍ରାକ୍ଟର ଏବଂ ୫ହଜାର ଲୋକ ସାମିଲ ହେବା ପାଇଁ ଦିଲ୍ଲୀ ପୋଲିସଠାରୁ ଅନୁମତି ମିଳିଛି ।

ଟ୍ରାକ୍ଟର ରାଲିକୁ ଆଖିରେ ରଖି ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆନନ୍ଦ ବିହାର ରେଳଷ୍ଟେସନରୁ ଟ୍ରେନ ଚଳାଚଳ ବନ୍ଦ ରହିବ । ସେପଟେ ଟ୍ରାକ୍ଟର ପରେଡକୁ ନେଇ ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏଥିରେ ଗୃହସଚିବ, ଦିଲ୍ଲୀ ପୋଲିସ କମିଶନର, ଆଇବି ମୁଖ୍ୟ ସାମିଲ ହୋଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଏହି ବୈଠକ ଡାକିଥିଲେ । ଟ୍ରାକ୍ଟର ପରେଡ ପାଇଁ ଅନୁମତି ମିଳିବା ପରେ ଆସନ୍ତା ଫେବ୍ରୁଆରୀ ୧ତାରିଖରେ ଚାଷୀମାନେ ସଂସଦ ମାର୍ଚ୍ଚ କରିବା ପାଇଁ ଘୋଷଣା କରିଦେଇଛନ୍ତି ।