ଚାଷୀ-ପୋଲିସ ସଂଘର୍ଷ ପରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା । ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ହୋଇଛି ।

146

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀ ଟ୍ରାକ୍ଟର ରାଲିରେ ହିଂସା ଘଟିବା ପରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ସିଙ୍ଗୁ ସୀମା, ଟିକରି ସୀମା, ଗାଜିପୁର ସୀମା, ମୁବାରକା ଚୌକ ଏବଂ ନାଙ୍ଗଲୋଇ ଆଦି ରହିଛି । ଏସବୁ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି ।

ସରକାରଙ୍କ ଦ୍ୱାରା ଜାରି ଏହି ନିର୍ଦ୍ଦେଶ ଅନୁଯାୟୀ, ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ତେବେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଗୃହ ସଚିବ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥାଆନ୍ତି । ଏହି ଆଦେଶ ଏସପି କିମ୍ବା ତଦୁର୍ଦ୍ଧ୍ୱ ପଦବୀର ଜଣେ ଅଧିକାରୀଙ୍କ ମାଧ୍ୟମରେ ପଠାଯାଇଥାଏ । ଏହାପରେ ଅଧିକାରୀ ସେବା ପ୍ରଦାନକାରୀଙ୍କୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିବାକୁ କହିଥାଆନ୍ତି ।

‌ଯେକୌଣସି ଆନ୍ଦୋଳନ, ଦଙ୍ଗା ଏବଂ ହିଂସାତ୍ମକ ଘଟଣା ସମୟରେ ପୁଲିସ-ପ୍ରଶାସନକୁ ସେହି ଅଞ୍ଚଳର ଇଣ୍ଟରନେଟ୍ ସେବା ବନ୍ଦ କରିବାର ଅଧିକାର ରହିଛି । ଏହା ଏଥିପାଇଁ କରାଯାଇଥାଏ କି ଇଣ୍ଟରନେଟ ସେବା ଦ୍ୱାରା କୌଣସି ପ୍ରକାର ଗୁଜବ, ମିଥ୍ୟା ଖବର ଓ ଭୁଲ ବାର୍ତ୍ତା ପ୍ରଚାର ନକରାଯାଉ । ଯଦି କିଛି ଗୁଜବ ବା ମିଥ୍ୟା ଖବର ପ୍ରଚାର ହୋଇଯାଏ ତେବେ ପରିସ୍ଥିତି ଖରାପ ହେବାର ସମ୍ଭାବନା ରହିଥାଏ । ଏଭଳି ପଦକ୍ଷେପ ସୁରକ୍ଷା ଏବଂ ଶାନ୍ତି ବଜାୟ ରଖିବା ପାଇଁ ନିଆଯାଇଥାଏ । ଏଥିସହିତ ଲୋକମାନେ ଭୁଲ ତଥ୍ୟ ଆଧାରରେ ଭୟଭୀତ ହେବ ନାହିଁ ।