କରୋନା କାଳରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । ବିନା ପରୀକ୍ଷାରେ ପାସ କଲେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ । ପାସ୍ ହାର ୯୮ ପ୍ରତିଶତ ପାଖାପାଖି ।

197

କନକ ବ୍ୟୁରୋ: କରୋନା କାଳର ମାଟ୍ରିକ୍ ପାସ୍ ହାର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ରାଜ୍ୟର ୮,୯୩୪ ସ୍କୁଲରେ ୫,୭୪,୧୨୫ ଜଣ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ଫିଲପ୍ କରିଥିବା ବେଳେ ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଛନ୍ତି । ମାତ୍ର ୭,୭୦୩ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ଛାତ୍ରଙ୍କ ଠାରୁ ଅଧିକ ସଂଖ୍ୟାରେ ଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷାରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ

  • ଏ ୧ ଗ୍ରେଡ୍ ପାଇଛନ୍ତି ୨,୬୫୬ 
  • ଏ ୨ ଗ୍ରେଡ ୨୨,୧୩୧
  • ବି ୧ ଗ୍ରେଡ ୫୨,୨୯୯ 
  • ବି ୨ ଗ୍ରେଡ ୯୪,୪୭୫
  • ସି ଗ୍ରେଡ୍ ପାଇଛନ୍ତି ୧,୩୭,୦୧୪ 
  • ଡି ଗ୍ରେଡ୍ ୧,୫୧,୬୩୯
  • ଇ ଗ୍ରେଡ୍ ପାଇଛନ୍ତି ୧,୦୧,୭୯୬

ପାସ୍ ହାରରେ ଆଗରେ ରହିଛି ଜଗତସିଂହପୁର ଜିଲ୍ଲା । ପାସ୍ ହାର ୯୯.୦୯ ପ୍ରତିଶତ । ସେହିପରି ଯାଜପୁର ଜିଲ୍ଲାରେ ପାସ୍ ହାର ରହିଛି ୯୯.୦୨ ପ୍ରତିଶତ । ସେହିପରି ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମଧ୍ୟ ପଛରେ ପଡିନାହାନ୍ତି । ଏକ୍ସ-ରେଗୁଲାର ପାସ୍ ହାର ୮୮.୩୩ ପ୍ରତିଶତ ରହିଛି ।

ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି ପ୍ରାୟ ୬ ଲକ୍ଷ ୩୦ ହଜାର ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ । ଏପଟେ ରାଜ୍ୟରେ ପାଖାପାଖି ୧୬୦୦ ପ୍ଲସ-ଟୁ କଲେଜ୍ ରହିଥିବା ବେଳେ ଏଥିରେ ପ୍ରାୟ ୪ ଲକ୍ଷ ୩୦ ହଜାର ପିଲା ପାଠ ପଢ଼ିପାରିବେ । ତେଣୁ ବାକି ୨ ଲକ୍ଷ ପିଲାଙ୍କ ଭବିଷ୍ୟତ କଣ ହେବ, ଏହା ହିଁ ସବୁଠୁ ବଡ଼ ପ୍ରଶ୍ନ । ମାଟ୍ରିକ ପରୀକ୍ଷା ଫଳକୁ ନେଇ ଯେଉଁ ଉତ୍କଣ୍ଠା ରହିଥିଲା, ତାହା ଶେଷ ହୋଇଛି । ଆଶାତୀତ ପାସ ହାର ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ମାଟ୍ରିକ ପରୀକ୍ଷା ହୋଇନଥିଲା । ଏଥିପାଇଁ ବିଳଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରାଯାଇଥିଲା ।

ପୂର୍ବପରୀକ୍ଷା ଆଧାରରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହୋଇଛି । ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ସବୁଠାରୁ ଭଲ ନମ୍ବର ରଖିଥିବା ବିଷୟ ଏବଂ ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ସର୍ବଶ୍ରେଷ୍ଠ ନମ୍ବରକୁ ବିଚାରକୁ ନିଆଯାଇ ମୂଲ୍ୟାୟନ କରାଯାଇଛି । ତେବେ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଅଫଲାଇନରେ ଆଉ ଥରେ ପରୀକ୍ଷା ଦେଇପାରିବେ ବୋଲି କହିଛି ମାଧ୍ୟମିକ ଶିକ୍ଷା ପରିଷଦ ।