କରୋନା ବେଳେ କ୍ୱାରେଣ୍ଟିନ୍ ଭଳି ଅଣସରକୁ ଗଲେ ଜଗନ୍ନାଥ । ୧୪ ଦିନିଆ ସଙ୍ଗରୋଧ ଭଳି ଅଣସର ପିଣ୍ଡିରେ ରହିବେ ଠାକୁର । ଆୟୁର୍ବେଦିକ ଡାକ୍ତର କହିଲେ ଜର ହେବା ପରେ ଏକାନ୍ତ ବାସରେ ଅଛନ୍ତି ଜଗନ୍ନାଥ

194

କନକ ବ୍ୟୁରୋ: ଶ୍ରୀଜିଉଙ୍କ ମାନବୀୟ ଲୀଳା, ଜଗନ୍ନାଥ ସଂସ୍କୃତିର ଆଉ ଏକ ଅନନ୍ୟ ପରମ୍ପରା । ଏଠି ଭଗବାନ ମଣିଷ ଭଳି ସ୍ନାନ କରନ୍ତି, ମଣିଷ ଭଳି ଜ୍ୱର ହୁଏ ଏବଂ ଉପଚାର ମଧ୍ୟ କରାଯାଏ । ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଶ୍ରୀଜିଉଙ୍କୁ ଏବେ ଜର । ଆଉ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆରମ୍ଭ ହୋଇଛି ୧୪ ଦିନିଆ ଅଣସର ।

  • ଏକାନ୍ତବାସରେ ମହାପ୍ରଭୁ
  • ସଙ୍ଗରୋଧରେ ଗୁପ୍ତ ଚିକିତ୍ସା

ଏକାନ୍ତବାସରେ ରହି ଚେରମୂଳି ଔଷଧୀରେ ଉପଚାର ପରେ ଧିରେ ଧିରେ ସୁସ୍ଥ ହେବେ ବଡ଼ ଠାକୁର । କିନ୍ତୁ କରୋନା କାଳରେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାକୁ ୧୪ ଦିନିଆ କ୍ୱାରେଣ୍ଟିନ୍ ସହ ଯୋଡ଼ି ଦେଖାଯାଉଛି । ଜ୍ୱର ହେବା ପରେ ଶ୍ରୀଜିଉ ଯେମିତି ଅଣସରରେ ରୁହନ୍ତି, ସେମିତି କରୋନା କାଳରେ ସଙ୍ଗରୋଧ, ଏକାନ୍ତବାସ ଏବଂ ୧୪ ଦିନଯାଏଁ କଟକଣା ପାଳନ କରାଯାଉଛି । ଗତବର୍ଷ ଠିକ୍ ଏକା କଥା କହି, ଲୋକଙ୍କୁ ସଚେତନ କରୁଥିଲେ ଓଡ଼ିଶା ଦକ୍ଷତା ବିକାଶର ମୁଖ୍ୟ ସୁବ୍ରତ ବାଗଚୀ । ସେତେବେଳେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଥିବା ବାଗ୍ଚୀ ମଧ୍ୟ ଅଣସରକୁ କ୍ୱାରେଣ୍ଟିନ୍ ସହ ତୁଳନା କରିଥିଲେ ।

କାହିଁ କେଉଁ କାଳରୁ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଏହି ପରମ୍ପରା ଯୋଡ଼ି ହୋଇ ରହିଛି । ଠାକୁର ଅଣସର ଘରେ ଥିବା ସମୟରେ ସାଧାରଣ ଦର୍ଶନ ମନା । ଗୁପ୍ତ ସେବାରେ କେବଳ ନିୟୋଜିତ ରୁହନ୍ତି ଦଇତାପତି ସେବାୟତ । ସାଧାରଣ ମଣିଷ ପରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ପାଳିତ ହେଉଥିବାରୁ କାହିଁ କେଉଁ କାଳରୁ ଏହି ୧୪ ଦିନିଆ ଏକାନ୍ତବାସର ବିଧି ରହି ଆସିଛି । କରୋନା କାଳରେ ଅତି ଆବଶ୍ୟକ ହୋଇପଡ଼ିଥିବା ଏକାନ୍ତବାସ ଓ ସଙ୍ଗରୋଧ ଭଳି  କଟକଣା ଓଡ଼ିଶାର ଜଗନ୍ନାଥ ସଂସ୍କୃତିରେ ବହୁ ବର୍ଷ ଧରି ରହି ଆସିଛି ।