ଗହମ ପରେ ବିଦେଶରୁ ଫେରିଲା ଆମ ଦେଶର ଚା ପତି, କାରଣ ଜାଣିଲେ ହୋଇଯିବେ ଚକିତ

813

କନକ ବ୍ୟୁରୋ : ଦେଶରେ ଚା ପତି ଉତ୍ପାଦନ କରୁଥିବା କମ୍ପାନୀ ଓ ଚାଷୀମାନଙ୍କ ପାଇଁ ଏକ ଖରାପ ଖବର ଆସିଛି । ଗହମର ଗୁଣବତ୍ତା ଖରାପ କହି ତୁର୍କି ଭାରତର ଗହମକୁ ଫେରାଇ ଦେଇଥିବା ବେଳେ ଏବେ ଭାରତର ଚା ପତିକୁ ଖରାପ କହି କିଛି ଦେଶ ଫେରାଇ ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି, ଭାରତ ରପ୍ତାନୀ କରୁଥିବା ଚା ପତିରେ ମାତ୍ରାଧିକ କୀଟନାଶକ ବ୍ୟବହାର କରାଯାଉଛି । ଏନେଇ ଭାରତୀୟ ଚା’ ନିୟନ୍ତ୍ରକ ସଂଘର ଅଧ୍ୟକ୍ଷ ଅଂଶୁମାନ କନୋରିୟା ସୂଚନା ଦେଇଛନ୍ତି ।

କହିରଖୁ କି ବିଶ୍ୱରେ ଭାରତ ବ୍ୟତୀତ ଚା ରପ୍ତାନୀରେ ଶ୍ରୀଲଙ୍କା ଆଗରେ ରହିଥିଲା । ହେଲେ ସେଠାରେ ଲାଗି ରହିଥିବା ଆର୍ଥିକ ସଂକଟ କାରଣରୁ ଭାରତ ପାଖରେ ବିଦେଶକୁ ଚା ପତି ରପ୍ତାନୀ ବଢାଇବା ପାଇଁ ଏହା ଏକ ସୁଯୋଗ ଥିବା ବେଳେ ଏହି କାରଣରୁ ଏବେ ଭାରତୀୟ ଚା ଉଦ୍ୟେଗୀଙ୍କୁ ଏକ ବଡ ଝଟକା ଲାଗିଛି ।

ଗୋଟିଏ ପଟେ ଚା ପତି ରପ୍ତାନୀ ବଢାଇବାକୁ ଭାରତ ବିଚାର କରୁଥିବା ବେଳେ ଏଭଳି ଭାବେ ରପ୍ତାନୀ ହୋଇଥିବା ଚା ପତି ଫେରିଆସିବା ଏବେ ଚିନ୍ତାର କାରଣ ପାଲଟିଛି । ସେପଟେ ଭାରତରେ ବିକ୍ରି ହେଉଥିବା ଚା ପତି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ର ମାନଦଣ୍ଡ ଅନୁରୂପ ହେବା ଉଚିତ ବୋଲି କୁହାଯାଇଛି । ଅନ୍ୟପଟେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କନୋରିୟା କହିଛନ୍ତି ଭାରତରେ ବିକ୍ରି ହେଉଥିବା ଚା ପତିରେ ଅସାମାନ୍ୟ ରାସୟନିକ ସାମଗ୍ରୀ ରହିଛି ।

ସୂଚନା ଥାଉକି ୨୦୨୧ ରେ ଭାରତ ମୋଟ ୧୯୫.୯୦ ମିଲିୟନ କିଲୋଗ୍ରାମ ଚା ପତି ରପ୍ତାନୀ କରିଥିଲା । ଭାରତରୁ ସବୁଠାରୁ ଅଧିକ ଚା ନେଉଥିବା ଦେଶମାନଙ୍କ ମଧ୍ୟରେ କମନ୍ ୱେଲ୍ଥ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟସ ଓ ଇରାନ । ଏହିସବୁ ଦେଶକୁ ଭାରତ ଚଳିତ ବର୍ଷ ୩୦୦ ମିଲିୟନ କିଲୋ ଚା ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଥିଲା । ହେଲେ କନୋରିୟା କହିଛନ୍ତି କି ଅନେକ ଦେଶ ଏଫଏସଏସଏଆଇର ମାନଦଣ୍ଡ ନୁହେଁ ବରଂ ୟୁରୋପୀୟ ସଂଘର ମାନକକୁ ପାଳନ କରୁଛନ୍ତି । ଯାହାକି ଏଫଏସଏସଏଆଇ ମାନଦଣ୍ଡ ଠାରୁ ଅଧିକ କଠୋର ।