ବିଜୁ ପକ୍କା ଘର ଯୋଜନାରେ ଘର ନମିଳିବାରୁ ଚାଷୀ ଆତ୍ମହତ୍ୟା ଘଟଣା: ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ପୂର୍ବର ଭାଇରାଲ ଭିଡିଓକୁ ନେଇ ଜୋର ଧରିଲା ରାଜନୀତି

ଘଟଣାକୁ ନିନ୍ଦା କଲେ ପିସିସି ସଭାପତି;ବିଜେଡି କହିଲା ତଦନ୍ତ ଚାଲିଛି

110

କନକ ବ୍ୟୁରୋ:ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ନିରାକାରପୁର ସାହିର ଲକ୍ଷ୍ମୀଧର ବେହେରା ଗତ ୧୬ ତାରିଖ ଦିନ ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏନେଇ ତାଙ୍କ ସ୍ତ୍ରୀ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି । ଅଭାବ ଅସୁବିଧା ସାଙ୍ଗକୁ ଦିନ ମଜୁରିଆ ହେତୁ ପ୍ରତିଦିନ କାମ ମିଳୁନାହିଁ, ଫଳରେ ପରିବାର ଚଳାଇବା କଷ୍ଟ ହୋଇପଡିଛି । ଏବଂ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ବ୍ଲକ ଅଫିସକୁ ଦୌଡି ଦୌଡି ନୟାନ୍ତ ହେବା ପରେ ରୁଣ ଭାର ସହିନପାରି ନିଜ ଜମିରେ ବିଷ ପିଇ ଲକ୍ଷ୍ମୀଧର ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ କୁମାରୀ ବେହେରା ଅଭିଯୋଗ କରିଛନ୍ତି ।

ସେପଟେ ଖୋର୍ଦ୍ଧାରେ ଚଳିତ ବର୍ଷର ପ୍ରଥମ ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଶାସକ ବିଜେଡି ଓ ବିରୋଧୀ ବିଜେପି ନେତା ଟାଙ୍ଗୀ ନିରାକାରପୁର ଯାଇ ମୃତକ ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଲକ୍ଷ୍ମୀଧରଙ୍କ ମୃତ୍ୟୁକୁ ନେଇ ଉଭୟ ରାଜନୈତିକ ଦଳ ଭିତରେ ଆରୋପ-ପ୍ରତ୍ୟାରୋପ ଚାଲିଛି । ଏତିକି ବେଳେ ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓର ସତ୍ୟସତ ଜଣାପଡିନଥିବା ବେଳେ ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଖୋର୍ଦ୍ଧା ଜିଲ୍ଲାପାଳ ଘଟଣାର ତଦନ୍ତ ନର୍ଦ୍ଦେଶ ଦେଇଛନ୍ତି ।

 

ଖୋର୍ଦ୍ଧା ନିରାକାରପୁର ସାହିର ମୃତ ଚାଷୀ ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନେତ୍ରୀ ଅପରାଜିତା ଷଡଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନ ମୃତକଙ୍କ ସ୍ତ୍ରୀ-ପିଲାଙ୍କୁ ଭେଟି ଆଲୋଚନା କରିଛନ୍ତି । ଘଟଣାକୁ ନେଇ ରାଜନୀତି କରାନଯାଉ, ଏହାସହ ଲକ୍ଷ୍ମୀଧରଙ୍କ ମୃତ୍ୟୁ ପୂର୍ବର ଭାଇରାଲ ଭିଡିଓର ଯାଂଚ କରାଯାଉ ବୋଲି ବିଧାୟକ କହିଛନ୍ତି । ମୃତ ଲକ୍ଷ୍ମୀଧର ବେହେରାଙ୍କୁ ସାହାଯ୍ୟ ପାଇଁ ପିଠା ଯୋଜନାରେ ସମସ୍ତ ବ୍ୟବସ୍ତା କରାଯାଇଥିଲା । ତାଙ୍କୁ ମଦ ପିଆଇ କେହି ଏପରି ଭିଡିଓ ଭାଇରାଲ କରିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହା ଏକ ପ୍ରାୟୋଜିତ ହତ୍ୟା ।

ଲକ୍ଷ୍ମୀଧରଙ୍କ ଭାଇରାଲ ଭିଡିଓକୁ ନେଇ ରାଜନୀତି ଜୋର ଧରିଛି । ଆବାସ ଯୋଜନାରେ ଘର ନମିଳିବାରୁ ଅସୁବିଧାରେ ଥିବା ଲକ୍ଷ୍ମୀଧର ଆତ୍ମହତ୍ୟା କରିଥିବା ଅଭିଯୋଗ ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲାପାଳ ପ୍ରଶାସନ । ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଘଟଣାର ପ୍ରଶାସନିକ ତଦନ୍ତ ନିର୍ଦେଶ ଦେଇଛନ୍ତି । ଭାଇରାଲ ଭିଡିଓର ସତ୍ୟାସତ କେତେ ତାହାର ମଧ୍ୟ ତଦନ୍ତ କରାଯିବ । ସେପଟେ ଋଣଭାର ଯୋଗୁଁ ଲକ୍ଷ୍ମୀଧର ଜମିର ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ସ୍ତ୍ରୀ ସୁମତୀ ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏପଟେ, ବିଜୁ ପକ୍କା ଘର ଯୋଜନାରେ ଘର ପାଇଁ ସରକାରୀ ବାବୁ ଲାଂଚ ମାଗିବାରୁ ଚାଷୀଙ୍କ ଆତ୍ମହତ୍ୟା ଘଟଣାକୁ ପିସିସି ସଭାପତି ନିନ୍ଦା କରିଛନ୍ତି । କଂଗ୍ରେସ ଏହି ଘଟଣାକୁ ନେଇ ସ୍ୱର ଉଠାଇବ ବୋଲି ନିରଂଜନ ପଟ୍ଟନାୟକ କହିଛନ୍ତି । ତେବେ ବିଜେଡି ମୁଖାପାତ୍ର ପ୍ରତାପ ଦେବ ଏହି ପ୍ରସଙ୍ଗରେ କହିଛନ୍ତି, ପିସି କଥା ବିଜେପି ଉଠାଇଛି । ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଚାଲିଛି, ସତ ସାମ୍ନାକୁ ଆସିବ ।