କନକ ବ୍ୟୁରୋ : କରୋନା ମହାମାରୀରେ ରାଜ୍ୟ ଛଟପଟ ହେଉଥିବା ବେଳେ ମ୍ୟାଲେରିଆ ସଂକ୍ରମଣରେ ମଧ୍ୟ ବୃଦ୍ଧି ହୋଇଛି। ଗତବର୍ଷ ତୁଳନାରେ ରାଜ୍ୟରେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି। ଏପରିକି କିଛି ଜିଲ୍ଲାରେ ଗତବର୍ଷ ତୁଳନାରେ ଶହେରୁ ଅଧିକ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲାରେ ୪ଶହ ପ୍ରତିଶତ ଓ ବଲାଙ୍ଗୀରରେ ୨ଶହ ପ୍ରତିଶତ ବୃଦ୍ଧି ହୋଇଥିବା ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍ଭିବିଡିସିପି) ସୂତ୍ରରୁ ଜଣାପଡ଼ିଛି। ରାଜ୍ୟରୁ ମ୍ୟାଲେରିଆ ହ୍ରାସ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିଲା ବେଳେ ଏଥିରେ ବୃଦ୍ଧି ଘଟିବା ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଝଟ୍କା ଲାଗିଛି। ଅପରପକ୍ଷରେ କିଛିବର୍ଷ ଧରି ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିବା ଡେଙ୍ଗୁ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟ ଯଥେଷ୍ଟ ହ୍ରାସ ପାଇଛି।
ଗତବର୍ଷ ଅକ୍ଟୋବର ମାସ ବେଳକୁ ରାଜ୍ୟରେ ୩୩,୨୦୭ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ଚଳିତବର୍ଷ ଏଥିରେ ୧୩.୪ ପ୍ରତିଶତ ବୃଦ୍ଧି ହେବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୫୨କୁ ବୃଦ୍ଧି ପାଇଛି। ମାତ୍ର ଚଳିତବର୍ଷ ମ୍ୟାଲେରିଆ ପରୀକ୍ଷାରେ ହ୍ରାସ ଘଟିଛି। ଗତବର୍ଷ ଅକ୍ଟୋବର ସୁଦ୍ଧା ୫୪ଲକ୍ଷ ୫୪ହଜାର ୭୨୨ ନମୁନା ପରୀକ୍ଷା ହୋଇଥିବା ବେଳେ ଚଳିତବର୍ଷ ୪୯,୯୧ହଜାର ୧୯୪ ନମୁନା ପରୀକ୍ଷା ହୋଇଛି। ସାମଗ୍ରିକ ଭାବେ ଅକ୍ଟୋବର ପର୍ଯ୍ୟନ୍ତ ସାଢ଼େ ୮ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ସେହିପରି ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) ଗତବର୍ଷ ୦.୬୧ ପ୍ରତିଶତ ଥିବା ବେଳେ ଚଳିତବର୍ଷ ଏହା ୦.୭୫କୁ ବୃଦ୍ଧି ପାଇଛି। ଗତବର୍ଷ ଅକ୍ଟୋବର ସୁଦ୍ଧା ୫ଜଣ ପ୍ରାଣ ହରାଇଥିବା ବେଳେ ଚଳିତବର୍ଷ ୮ଜଣ ପ୍ରାଣ ହରାଇଛନ୍ତି।
ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା କଥା, ବର୍ଷାଦିନ ଆରମ୍ଭ ହେବା ପୂର୍ବରୁ ରାଜ୍ୟବ୍ୟାପୀ ମ୍ୟାଲେରିଆ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ। ମାତ୍ର ଚଳିତବର୍ଷ କରୋନା ପାଇଁ ଏସବୁ କାର୍ଯ୍ୟକ୍ରମ ପ୍ରାୟତଃ ହୋଇପାରି ନାହିଁ। ଲକ୍ଡାଉନ୍, ସଟ୍ଡାଉନ୍ ଓ କଣ୍ଟେନମେଣ୍ଟ ଜୋନ୍ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏହାସହ ପ୍ଲାଜମୋଡିୟମ୍ ଫାଲ୍ସିପାରମ୍ ବା ପିଏଫ୍ ପାରାସାଇଟ୍ ସଂକ୍ରମଣରେ ମଧ୍ୟ ବୃଦ୍ଧି ହୋଇଛି। ନିକଟରେ ରାଜ୍ୟରେ ଔଷଧୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ପ୍ରାୟତଃ ଶେଷ ପର୍ଯ୍ୟାୟରେ। କେନ୍ଦ୍ର ସହାୟତାରେ ୨କୋଟି ୧୩ଲକ୍ଷ ଔଷଧୀୟ ମଶାରୀ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି। ତେଣୁ ମ୍ୟାଲେରିଆ ନିୟନ୍ତ୍ରଣରେ ଏହା ବିଶେଷ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।
ଅପରପକ୍ଷରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଗତବର୍ଷ ତୁଳନାରେ ରାଜ୍ୟରେ ୮୪ ପ୍ରତିଶତ ହ୍ରାସ ପାଇଛି। କେବଳ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ବାଦ୍ ଅନ୍ୟ ସବୁ ଜିଲ୍ଲାରେ ଡେଙ୍ଗୁ ହ୍ରାସ ପାଇଛି। ରାୟଗଡ଼ାରେ ଗତବର୍ଷ ଅକ୍ଟେବାର ସୁଦ୍ଧା ୧୭ଜଣ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଏଥିରେ ୭୩୫ ପ୍ରତିଶତ ବୃଦ୍ଧି ହେବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ୯ଟି ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ଶତ ପ୍ରତିଶତ ହ୍ରାସ ପାଇଛି।
Comments are closed.