ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପୁଅ ରମାକାନ୍ତଙ୍କୁ ଫୋନ କରି କ’ଣ କହିଥିଲେ ଅଭିଯୁକ୍ତ ? ଥାନାରେ ମାମଲା ରୁଜୁ

ଜଣେ ପ୍ରଭାବଶାଳୀ ଫସାଇଦେଇଥିବା ଫୋନରେ କହିଥିଲେ ଅଭିଯୁକ୍ତ

262

କନକ ବ୍ୟୁରୋ : ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ଏକ ଏଫଆଇଆର ଦେଇଛନ୍ତି । ତାଙ୍କ ବାପାଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ୍ୟୁ ପୂର୍ବରୁ ତାଙ୍କୁ ଫୋନ୍ କରିଥିଲେ । ପ୍ରାୟ ୧ ମିଟର ୪୦ ସେକେଣ୍ଡ ଧରି କଣ କଥା ହୋଇଥିଲେ, ସେ ବାବଦରେ ଏହି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ରମାକାନ୍ତ । ତାଙ୍କୁ ଫୋନ୍ କରି ପ୍ରଫୁଲ୍ଲ ବିଶ୍ୱାଳ କହିଥିଲେ ସେ କାବୁଆ କହୁଛନ୍ତି । ତାଙ୍କର ଏବଂ ତାଙ୍କ ସାନଭାଇଙ୍କ ପିଲାମାନେ ରମାକାନ୍ତଙ୍କୁ ଲାଗିଲେ ଏବଂ ଜଗନ୍ନାଥଙ୍କ ରାଣ ଖାଇ କହିଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ଫସାଇ ଦେଇଛନ୍ତି ।

ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ସେ ତିନି ତିନିଟି ହତ୍ୟାକାଣ୍ଡରେ ସାମିଲ ହେଲେ ବୋଲି ଫୋନ୍ କରି ରମାକାନ୍ତଙ୍କୁ ଜଣାଇଥିବା ଏଫଆଇଆରରେ ଉଲ୍ଲେଖ ରହିଛି । ଏପରିକି ଫୋନ୍ ଆସିବା ପରେ ସାଲେପୁର ଏସଡିପିଓଙ୍କୁ ତୁରନ୍ତ ଫୋନ୍ କରି ଏ ବାବଦରେ ଜଣାଇଥିଲେ ରମାକାନ୍ତ ବରାଳ । ଏସପଡିଓଙ୍କ ସହ କଥା ହେଲାବେଳେ ପୁଣି ସେହି ନଂବରରୁ ଫୋନ୍ ଆସିଥିଲା ବୋଲି ରମାକାନ୍ତ ଲେଖିଛନ୍ତି । ଏପରିକି ଫୋନ୍ ଆସିଥିବା ମୋବାଇଲ୍ ନଂବର ମଧ୍ୟ ଏଫଆଇଆରରେ ଦିଆଯାଇଛି ।