ଓଡ଼ିଶା ଆଡକୁ ମୁହାଁଇପାରେ ଆଉ ଏକ ବାତ୍ୟା, ଦଶହରାକୁ ଭିଜାଇବ ।

389

କନକ ବ୍ୟୁରୋ : ଚଳିତ ବର୍ଷ ବଙ୍ଗୋପସାଗରରୁ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ସେପ୍ଟେମ୍ବରରେ ୩ଟି ଲଘୁଚାପ ଓ ଗୋଟିଏ ବାତ୍ୟା ପରେ ଏବ ଅକ୍ଟୋବରରେ ବି ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧିଲାଣି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ରିପୋର୍ଟ ଅନୁସାରେ ଉତ୍ତର-ଆଣ୍ଡାମାନ ସାଗରରେ ଆସନ୍ତା ୮-୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୪-୫ ଦିନରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହା ଏକ ବାତ୍ୟା ରୂପ ନେଇ ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି ।

ଏହି ଲଘୁଚାପଟି ବାତ୍ୟାରେ ପରିଣତ ହେଲେ ତାହାର ନାଁ ଜାଓ୍ବାଦ ରଖାଯିବ । ସାଉଦି ଆରବ ପକ୍ଷରୁ ଏହି ନାମକରଣ କରାଯାଇଛି । ଏହି ବାତ୍ୟା ଓଡ଼ିଶା ଆଡ଼କୁ ଆସୁଥିବାରୁ ଚଳିତ ବର୍ଷ ଦଶହରା ଉତ୍ସବ ଫିକା ପଡ଼ିବାର ସମ୍ଭାବନା ରହିଛି । କରୋନା କଟକଣା ଯୋଗୁଁ ପୂର୍ବରୁ ହିଁ ଦଶହରାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ କମ ଥିଲା । ଏବେ ବାତ୍ୟା ଆସୁଥିବାରୁ ଦଶହରା ସଂପୂର୍ଣ୍ଣ ଧୋଇଯିବାର ଆଶଙ୍କା ଦେଖାଦେଇଛି ।