କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ରାସନକାର୍ଡ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଶହ ଶହ ଭୁତ ହିତାଧିକାରୀ ଓ ବଡବଡିଆଙ୍କୁ ଅନାୟାସରେ ରାସନକାର୍ଡ ମିଳିଛି । ରାଜନଗର ବ୍ଲକରେ ଅନେକ ସରକାରୀ ଚାକିରିଆ ମଧ୍ୟ କାର୍ଡ ହାତେଇବାରେ ସଫଳ ହୋଇଛନ୍ତି । କିନ୍ତୁ ଗରିବ, ଖଟିଖିଆ, ଦିନ ମଜୁରିଆ ବାରମ୍ବାର ଦୌଡିବା ନୟାନ୍ତ ହେଲେ ବି ସେମାନଙ୍କ ଭାଗ୍ୟରେ ରାସନ କାର୍ଡ ଜୁଟୁନି ।

Advertisment

ରାଜନଗର ବ୍ଲକ ସାତଭାୟା ପଂଚାୟତର ବହୁ ଗରିବ, ଖଟିଖିଆ ବର୍ଷ ବର୍ଷ ଧରି ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ହୋଇ ରହିଛନ୍ତି । ବଗପାଟିଆ ଗାଁର ଗୀତାଞ୍ଜଳି ପ୍ରଧାନ । ଜମି ବାଡି କିଛି ନାହିଁ । ୨ ବର୍ଷ ହେଲା ସ୍ୱାମୀ ରୋଗାକ୍ରାନ୍ତ, କାମ ଧନ୍ଦା କରି ପାରୁନାହାନ୍ତି । ୧୨ ବର୍ଷର ନାବାଳକ ପୁଅ ହୋଟେଲ୍ରେ କାମ କରି ପରିବାର ପୋଷୁଥିବା ବେଳେ ଗୀତାଂଜଳୀଙ୍କ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିନାହାନ୍ତି ।

ସନ୍ତୋସିନୀ ପାତ୍ର । ସ୍ୱାମୀ ଦାଦନ ଖଟି ୭ ପ୍ରାଣୀ ପରିବାର ଚଳାନ୍ତି । ଦି ବଖରା ଚାଳ ଘରେ ରହୁଥିବା ଏହି ପରିବାର ବି ରାସନକାର୍ଡରୁ ବଂଚିତ । ସେମିତି ଆଉ ଜଣେ ହତଭାଗ୍ୟ ହିତାଧିକାରୀ ବିମ୍ବାଧର ଦଳାଇ । ରାସନକାର୍ଡଟି ପାଇଁ ବ୍ଲକ ଅଫିସକୁ ଦୌଡି ଦୌଡି ନୟାନ୍ତ ହେଲେଣି, କିନ୍ତୁ ଏଯାଏଁ ତାଙ୍କୁ ମଧ୍ୟ ରାସନକାର୍ଡଟିଏ ମିଳିପାରିନି ।

ଗରିବ ସିନା ଯୋଜନାରୁ ବଂଚିତ, ବଡବଡିଆ କିନ୍ତୁ ରାସନକାର୍ଡ ହାତେଇଛନ୍ତି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ରାସନକାର୍ଡ ହାତେଇଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀ । ମହାକାଳପଡା ବ୍ଲକ ଖରନାସୀ ପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ ନିରୋଦ କୁମାର ସ୍ୱାଇଁ ମାସିକ ୨୦ ହଜାର ଟଙ୍କା ଦରମା ପାଉଛନ୍ତି, ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣ ସ୍ୱାଇଁଙ୍କ ନାଁରେ ରାସନକାର୍ଡ ରହିଛି । ସେ ପ୍ରତି ମାସରେ ମହୁଲିଆ ଗାଁର ରିଟେଲର ବଲ୍ଲଭ ଚରଣ ନାୟକଙ୍କ ଠାରୁ ୨୦ କେଜି ଚାଉଳ ଓ କିରାସିନି ନେଉଛନ୍ତି । ଖାଲି ସେ ନୁହଁନ୍ତି, ଏ ହେଉଛନ୍ତି ରାଜନଗର ବ୍ଲକ ବାଲିସାହିପାଟଣା କୃଷି ସେବା ସମବାୟ ସମିତିର ସପାଂଦକ ଅମର ବଳଙ୍କ ପତ୍ନୀ ମଧ୍ୟ ରାସନକାର୍ଡ ହାତେଇଥିବା ଅଭିଯୋଗ ହୋଇଛି ।

ସରକାରୀ ନିୟମ ଅନୁସାରେ, ସହରାଂଚଳରେ ମାସିକ ୧୫ ହଜାର ଓ ଗ୍ରାମାଂଚଳରେ ୧୦ହଜାରରୁ ଅଧିକ ଦରମା ପାଉଥିବା ବ୍ୟକ୍ତିଙ୍କ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ନାହିଁ । ଏପରି ସ୍ଥଳେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସ୍ତ୍ରୀ ଏବଂ ସମବାୟ ସମିତିର ସଂପାଦକଙ୍କ ସ୍ତ୍ରୀ ରାସନକାର୍ଡ ହାତେଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୋଜନାରେ ମହାଦୁର୍ନୀତି କଥାକୁ ପଦାରେ ପକାଇଛି । ସ୍ୱାମୀ ସରକାରୀ ଚାକିରୀ କରିଥିବା ବେଳେ ସ୍ତ୍ରୀ ରାସନକାର୍ଡ ପାଇଁ ଆବେଦନ କଲେ କେମିତି? ଆଉ ସେମାନଙ୍କୁ ରାସନକାର୍ଡ ଦେଲା କିଏ? ତାକୁ ନେଇ ପ୍ରଶ୍ନ ଉଠିଛି ।