ଠକି ଦେଲା ସରକାରୀ ବିହନ: ନିମ୍ନମାନର ବିହନ ଯୋଗୁଁ ବିରି ଗଛରେ ନାହିଁ ଫୁଲ କି ଫଳ, ଜମିରେ ଗାଇ ଓ ଛେଳି ଛାଡିଦେଲେ ଚାଷୀ

127

କନକ ବ୍ୟୁରୋ: ନକଲି ବିହନ ପାଇଁ ଠକାମୀର ଶିକାର ହେଲେ ମିଶନ ଶକ୍ତି ସ୍ୱଂୟ ସହାୟକ ଗୋଷ୍ଠୀ । ଠକିଲେ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା । ଏଭଳି ଅଭିଯୋଗ ଆସିଛି ଦେବଗଡ ତିଲେଇବଣୀ ବ୍ଲକ ଦୁଧିଆନାଳୀ ପଂଚାୟତରୁ ।

ବିରି ବିଲରେ ଚରୁଛନ୍ତି ଗୋରୁଗାଇ ଓ ଛେଳି । ପ୍ରଶାସନ ଦେଇଥିବା ବିହନରୁ ଭଲ ଗଛ ହୋଇଛି, କିନ୍ତୁ ସେଥିରେ ଫୁଲ ନାହିଁ କି ଫଳ । ତେଣୁ ନିରାସ ହୋଇ ବିଲରେ ଗାଇ-ଛେଳି ଛାଡି ଦେଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଚାଷୀ । ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଦୁଧିଆନାଳୀ ପଂଚାୟତର ପ୍ରାୟ ୨୫୦ ଆଦିବାସୀ ମିଶନ ଶକ୍ତି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ତିଲେଇବଣୀ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବିରି ଚାଷ ପାଇଁ ସରକାରୀ ବିହନ ଓ ସାର ଯୋଗାଇ ଦିଆଯାଇଥିଲା । ଜୁନ ମାସରେ ସାର-ବିହନ ପାଇ ଚାଷୀ ବିରି ବୁଣିଛନ୍ତି । କିନ୍ତୁ ୪ ମାସ ପରେ ବି ବିରି ଗଛରେ ଫୁଲ-ଫଳ ନଥିବାରୁ ଚାଷୀ ନିରାସ ହୋଇଛନ୍ତି ।

ନକଲି ବିହନ, ସାର ଓ ଔଷଧ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଅଭିଯୋଗ କରିଛନ୍ତି । ଗତବର୍ଷ ମଧ୍ୟ ମିଶନ ଶକ୍ତିର ଆଦିବାସୀ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଆଇଟିଡିଏ ପକ୍ଷରୁ ଦିଆଯାଇଥିବା ରାଶି ବିହନ ନକଲି ଥିଲା । ସରକାରୀ ବିହନ ଠକି ଦେବାରୁ ମହିଳା ଚାଷୀ ଆର୍ଥୀକ କ୍ଷତି ସହୁଛନ୍ତି ବୋଲି ତିଲେଇବଣୀ ବ୍ଲକ ଉପାଧ୍ୟକ୍ଷ ଭୂପେନ୍ଦ୍ର ପ୍ରସାଦ ନାୟକ ପ୍ରକାଶ କରିଛନ୍ତି ।

ତିଲେଇବଣୀ ଆଇଟିଡିଏ ପକ୍ଷରୁ ପ୍ରତି ବର୍ଷ ଲଗାତର ଭିନ୍ନ ଭିନ୍ନ ପଂଚାୟତରେ ମିଶନ ଶକ୍ତିର ସଶକ୍ତି କରଣ ନାଁରେ ସରଳ ଆଦିବାସୀଙ୍କୁ ଠକି ଚାଲିଛି ଅସାଧୁ ଅଧିକାରୀ । ଆଦିବାସୀଙ୍କ ସହ ପ୍ରତାରଣ କରୁଥିବା ଅଧିକାରୀ ଏବଂ ସାର ବିହନ ଯୋଗାଉଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିଗ୍ରସ୍ତ ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ କ୍ଷତି ପୂରଣ ଦେବାକୁ ଦାବି ହେଉଛି ।