ଦିନ ଦ୍ୱିପହରରେ ଡକାୟତି । ମକା ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ଚକଲପଦର ଜଙ୍ଗଲରେ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ଲୁଟିଲେ ୪ ଲକ୍ଷ ଟଙ୍କା । 

97

କନକ ବ୍ୟୁରୋ : ମକା ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ଝରିଗାଁରେ ଏହି ଘଟଣା ଘଟିଛି । ମକା ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବଙ୍କୁ ଆକ୍ରମଣ କରି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଚଚାରୁ କଂଗ୍ରା ହାଟକୁ ଯିବା ବାଟରେ ଚକଲପଦର ଜଙ୍ଗଲରେ ୩ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଲୁଟର ଶିକାର ହୋଇଛନ୍ତି ରାଜେନ୍ଦ୍ର ।

ଚଚା ଗ୍ରାମର ରାଜେନ୍ଦ୍ର ସିଂ ଯାଦବ ଏବଂ ମନ ମାଝୀ ଦୁହେଁ ମିଶି ଏକ ବାଇକ ଯୋଗେ କଂଗ୍ରା ଗ୍ରାମର ସାପ୍ତାହିକ ହାଟକୁ ଯାଉଥିଲେ। ହାଟରେ ବ୍ୟବସାୟ ପାଇଁ ରାଜେନ୍ଦ୍ର ଗୋଟିଏ ବ୍ୟାଗରେ ୪ ଲକ୍ଷ ଟଙ୍କା ସାଙ୍ଗରେ ନେଉଥିଲେ। ତେବେ ଚକଲପଦର ଘାଟି ପାଖରେ କିଛି ଦୁର୍ବୃତ୍ତ ପଲସର ଗାଡ଼ିରେ ଆସି ବ୍ୟବସାୟୀଙ୍କୁ ଆକ୍ରମଣ କରି ଵ୍ୟାଗରେ ଥିବା ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ରାଜେନ୍ଦ୍ରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା।

ରାଜେନ୍ଦ୍ରଙ୍କୁ ପ୍ରଥମେ ନବରଙ୍ଗପୁର ଡାକ୍ତରଖାନା ଏବଂ ପରେ ବିଶାଖାପାଟଣାକୁ ନେଇଥିବା ସୂଚନା ମିଳିଛି । ଏଣେ ଖବର ପାଇ ଝରିଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।