ଗ୍ରାହକ ସାଜି ସୁନା ଦୋକାନରୁ ଲୁଟ୍ : ପୁରୀଘାଟ ଥାନାରେ ଅଭିଯୋଗ; ପୁଲିସର ତଦନ୍ତ ଆରମ୍ଭ

68

କନକ ବ୍ୟୁରୋ : କଟକ ଦୋଳମୁଣ୍ଡାଇ ସ୍ଥିତ ଏକ ସୁନା ଦୋକାନରୁ ଲୁଟ୍ । ଏନେଇ କଟକ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଦୁଇ ଜଣ ଗ୍ରାହକ ଦୋକାନକୁ ଆସିଥିଲେ । ସେମାନେ ବିଭିନ୍ନ ସୁନାଗହଣା ଦେଖୁଥିବା ବେଳେ କିଛି ସମୟ ପରେ ଦୋକାନୀର ଅନ୍ୟମନସ୍କତାର ସୁଯୋଗ ନେଇ ବାହାରକୁ ଚାଲିଯାଇଥିଲେ । ପରେ ହିସାବରୁ ଦୋକାନୀ ଜାଣିପାରିଲେ ଯେ, ତାଙ୍କର ଗହଣା ଲୁଟ୍ ହୋଇଛି । ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଦୋଳମୁଣ୍ତାଇ ଛକରେ ଥିବା ଜଗନ୍ନାଥ ଜୁଏଲାରୀକୁ ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସିଥିଲେ । ଜଣେ ବାହାରେ ଛିଡ଼ା ହୋଇଥିବାବେଳେ ଅନ୍ୟ ଜଣେ ଦୋକାନ ଭିତରକୁ ଆସିଥିଲା। ଉଭୟ ମୁହଁରେ ମାସ୍କ ପିନ୍ଧିଥିଲେ । ଦୋକାନ ଭିତରକୁ ଆସିଥିବା ଲୁଟେରା ଜଣକ ଅଳଙ୍କାର କିଣିବାକୁ କହିବାରୁ ଦୋକାନ ମାଲିକ ଡ୍ର ରୁ ଅଳଙ୍କାର କାଢ଼ି ଦେଖାଇଥିଲେ । ଏକାଧିକ ଡିଜାଇନର ଅଳଙ୍କାର ଦେଖାଇବାକୁ କହି ଦୋକାନୀଙ୍କୁ ଅନ୍ୟମନସ୍କ କରାଇଥିଲା ଲୁଟେରା । ଦୋକାନୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଏକ ବ୍ୟାଗ୍‌ରେ ଥିବା ୧୫୦ ଗ୍ରାମ ଓଜନର ଅଳଙ୍କାର ଲୁଟି ନେଇଥିଲେ ।

ଦୋକାନ ମାଲିକ ଜାଣିପାରିବା ପରେ ଦୁଇ ଦୁର୍ବୃତ୍ତଙ୍କୁ ଗୋଡ଼ାଇ ଧରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେମାନେ ତାଙ୍କୁ ଧକ୍କା ମାରି ଝୋଲାସାହି ଆଡ଼କୁ ଫେରାର ହୋଇଯାଇଥିଲେ । ମୁହଁରେ ମାସ୍କ ପିନ୍ଧିଥିବାରୁ ଚେହେରା ସ୍ପଷ୍ଟ ହେଉନଥିବା ବେଳେ ସେମାନଙ୍କ ବୟସ ୩୦ ପାଖାପାଖି ହେବ ବୋଲି ପୁଲିସ ଅନୁମାନ କରୁଛି । ଦୋଳମୁଣ୍ତାଇ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଢ˚ଗରେ ଅଳଙ୍କାର ଦୋକାନରୁ ଲୁଟ୍‌ ଘଟଣା ସାଧାରଣ ଲୋକଙ୍କୁ ଚକିତ କରିଛି ।