ନୂଆ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ବଡ ବୟାନ : କହିଲେ, ଚୀନ ପାକିସ୍ତାନ ଠାରୁ ଅଧିକ ଆଧୁନିକ ଓ ସୁସଂଗଠିତ ଭାରତୀୟ ସେନା; ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ

ଆତ୍ମନିର୍ଭର ଯୋଜନାରେ ଅସ୍ତ୍ରଶସ୍ତ୍ର ନିର୍ମାଣ ଉପରେ ଦିଆଯାଉଛି ଜୋର

342

କନକ ବ୍ୟୁରୋ : ଭୁବନେଶ୍ୱର ସୈନିକ ସ୍କୁଲରେ ସାମ୍ବାଦିକ ସମ୍ମିଳନୀରେ ବଡ ବୟାନ ଦେଇଛନ୍ତି ନୂଆ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି । ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଚୀନ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ । ଭାରତ ପରମାଣୁ ସଂପନ୍ନ ରାଷ୍ଟ୍ର ଏବଂ ଭାରତୀୟ ସେନା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା । ଏବେ ବିଶ୍ୱରେ ଯୁଦ୍ଧକୌଶଳରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ।

ପଡୋଶୀ ରାଷ୍ଟ୍ର ଚୀନ ନିଜ ସେନାକୁ ଆଧୁନିକକରଣ କରିବା ସହ ପାକିସ୍ତାନ ସେନାକୁ ମଧ୍ୟ ଆଧୁନିକରଣ କରିବାରେ ସହଯୋଗ କରୁଛି । ହେଲେ ପଡୋଶୀ ରାଷ୍ଟ୍ର ଠାରୁ ଭାରତୀୟ ସେନା ଅଧିକ ଆଧୁନିକ । ଭାରତୀୟ ଯବାନ ଯେଉଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଉପକରଣ ସବୁ ବ୍ୟବହାର କରୁଛନ୍ତି ତାହା ବେଶ ଶକ୍ତିଶାଳୀ । ଏହାଛଡା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ ବୋଲି କହିଛନ୍ତି ନୂଆ ସେନା ଉପମୁଖ୍ୟ । ସେହିପରି ଅଧିକ ମାତ୍ରାରେ ଓଡିଆ ଯୁବକ ଯୁବତୀ ସେନାରେ ସାମିଲ ହେବାକୁ ଚଣ୍ଡି ପ୍ରସାଦ ମହାନ୍ତି ଆହ୍ୱାନ ଦେଇଛନ୍ତି । ଦେଶ ଓ ରାଜ୍ୟ ପାଇଁ ଗର୍ବିତ ବୋଲି ସେ କହିଛନ୍ତି ।