ବିଜେପିକୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । କହିଲେ, ନିଜ ହିଂସ୍ର ଆଚରଣ ଲୁଚାଇବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି ।

98

କନକ ବ୍ୟୁରୋ: ବିଜେପି ନିଜର ହିଂସ୍ର ଆଚରଣ ଲୁଚାଇବାକୁ ଯାଇ ଚୋର ମୁହଁ ଟାଣ ନ୍ୟାୟରେ ଆଜି  ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରୁ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପିର ଅଭିଯୋଗର ଜବାବ ଦେଇ ଲେନିନ୍ କହିଛନ୍ତି ଯେ, ପିପିଲି ଉପ ନିର୍ବାଚନରେ ନିଜର ଶୋଚନୀୟ ପରାଜୟ ଜାଣିବା ପରେ ରାଜ୍ୟ ବିଜେପି ଏବେ ମିଥ୍ୟା ଓ ଭିତ୍ତିହୀନ ଅପପ୍ରଚାରରେ ମାତିଛି । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଉତ୍ତରପ୍ରଦେଶ ଓ ବିହାର ଭଳି ରାଜନୈତିକ ହିଂସା ଘଟାଇବା ପାଇଁ ବିଜେପି ଅଣ୍ଟା ଭିଡିଛି । ବିଜେପୁର ଉପ ନିର୍ବାଚନରେ ନିର୍ବାଚନୀ ହିଂସା ହେଉ କିମ୍ବା ଗତ ସାଧାରଣ ନିର୍ବାଚନ ସମୟ । ବିଜେପି ହିଂସାର ରାଜନୀତିକୁ ଆପଣାଇ ଓଡିଶା ଭଳି ପବିତ୍ର ରାଜ୍ୟକୁ କଳୁଷିତ କରିବାକୁ ଚେଷ୍ଟା  କରିଆସୁଛି ।

ବିଜେପିର ଏଭଳି ହିଂସ୍ର ନିର୍ବାଚନୀ  ରାଜନୀତିକୁ ଓଡିଶାବାସୀ କେବେ ବି ଗ୍ରହଣ କରିନାହାନ୍ତ । ଏଥିପାଇଁ ବିଗତ ନିର୍ବାଚନ ଗୁଡିକରେ ଦଳକୁ ପରାସ୍ତର ବାଟ ଦେଖାଇଛନ୍ତି । ଏଥର ପିପିଲିବାସୀ ମଧ୍ୟ ବିଜେପିର ଏହି ନିର୍ବାଚନୀ ହିଂସାକୁ ଗ୍ରହଣ କରିବେ ନାହିଁ । ଏଭଳି ଆଚରଣ ପାଇଁ ବିଜେପିକୁ ଉଚିତ ଜବାବ ଦେବା ସହିତ ହିଂସାକୁ ପ୍ରଶୟ ଦେଉଥିବା ଏହି ଦଳକୁ ଓଡିଶାବାସୀ କେବେ ବି କ୍ଷମା କରିବେ ନାହିଁ ବୋଲି ଲେନିନ ମହାନ୍ତି କହିଛନ୍ତି ।