ଟିକାଉତ୍ସବର ପ୍ରଥମ ଦିନରେ ରାଜ୍ୟରେ ଲକ୍ଷେ ତଳକୁ ଖସିଲା ଟିକାକରଣ । ଟିକା ବଣ୍ଟନରେ ପାତର ଅନ୍ତର ଅଭିଯୋଗ କଲେ ମନ୍ତ୍ରୀ । 

100

କନକ ବ୍ୟୁରୋ: ଟିକା ଉତ୍ସବର ପ୍ରଥମ ଦିନରେ ରାଜ୍ୟରେ କମିଛି ଟିକାକରଣ । ରାଜ୍ୟରେ ଟିକା ଅଭାବ ଯୋଗୁଁ ଟିକାକରଣ ଏକ ଲକ୍ଷ ତଳକୁ ଖସି ଆସିଛି । ରାଜ୍ୟର ୫୯୩ ଟିକାକରଣ କେନ୍ଦ୍ରରେ ଆଜି ୮୧ ହଜାର ୧୬୯ ଜଣଙ୍କୁ କୋଭିଡ ଟିକାର ଡୋଜ ଦିଆଯାଇଛି । ଦୈନିକ ଦୁଇ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ଟିକା ଉତ୍ସବର ପ୍ରଥମ ଦିନରେ ଟିକାକରଣ ଲକ୍ଷେ ତଳକୁ ଖସିଯାଇଛି । ଆଜି ଟିକାକରଣ ପରେ ରାଜ୍ୟରେ ୧ଲକ୍ଷ ୫୯ ହଜାର ୪୩୯ ଡୋଜ କୋଭିସିଲଡ ଟିକା ଓ ୭୧ ହଜାର ୧୦ ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି । ତେବେ କୋଭିସିଲଡ ଟିକାର ଅଭାବ ଯୋଗୁଁ ଟିକାକରଣର ହାର ଟିକା ଉତ୍ସବର ପ୍ରଥମ ଦିନରେ କମିଯାଇଛି । 

ଟିକା ଯୋଗାଣରେ ପାତରଅନ୍ତର ହେଉଥିବା ଅଭିଯୋଗ ଆଣିଲେ ମନ୍ତ୍ରୀ ସୁଶାନ୍ତ ସିଂ । ଟିକାକରଣରେ ରାଜ୍ୟ ଅଗ୍ରଣୀ ଭୁମିକା ଗ୍ରହଣ କରୁଥିବା ବେଳେ, ଚାହିଦା ପରିମାଣର ଟିକା ଦେଉନି କେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ରବିବାରଠାରୁ ଦେଶରେ ପାଳନ ହେଉଛି କରୋନା ଟିକା ମହୋତ୍ସବ । ଲୋକଙ୍କୁ କୋଭିଡ ଟିକା ନେଇ ସଚେତନ କରିବା, ଟିକାକରଣ ବଢାଇବା ସହ ଟୀକା ନଷ୍ଟ ନକରିବାକୁ ନେଇ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଉଛି । କିନ୍ତୁ ଚାହିଦା ଅନୁସାରେ ଓଡିଶାକୁ ଟିକା ଯୋଗାଣ କମ ରହିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।