ଜଳିଲା ଜଗନ୍ନାଥ ଧାମ ! ଧାଡି ଦର୍ଶନକୁ ବିରୋଧ କରି ରଣକ୍ଷେତ୍ର ପାଲଟିଲା ପୁରୀ, ଭାଙ୍ଗିଲା ଥାନା, ଜଳିଲା ଟ୍ରାଫିକପୋଷ୍ଟ ।

41

କନକ ବ୍ୟୁରୋ : ବଡଦାଣ୍ଡରେ ଲାଗିଛି ନିଆଁ । ଅଶାନ୍ତ ହୋଇ ପଡିଛି ଶ୍ରୀକ୍ଷେତ୍ର । ଧାଡି ଦର୍ଶନକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପୁରୀ ବନ୍ଦର ଆହ୍ୱାନ ଦେଇଥିଲା । ତେବେ ଆଇନକୁ ହାତକୁ ନେଇ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି ଉତ୍ୟକ୍ତ ଲୋକ । ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିବା ସହ ସରକାରୀ ସଂପତି ନଷ୍ଟ କରିଛନ୍ତି ଆନ୍ଦୋଳନକାରୀ । ସିଂହଦ୍ୱାର ଥାନା ଉପରକୁ ଆକ୍ରମଣ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ କରାଯାଇଛି ଟାର୍ଗେଟ । ଗୋଟିଏ ପଟେ ଆଇନକୁ ହାତକୁ ନେଇଛନ୍ତି ଆନ୍ଦୋଳନକାରୀ, ଅନ୍ୟ ପଟେ ଆଇନ ଶୃଙ୍ଖଳା ରଖିବାରେ ବିଫଳ ହୋଇଛି ପୋଲିସ ଓ ପ୍ରଶାସନ । ପରିସ୍ଥିତିର ସମାଧାନ ପାଇଁ ପ୍ରଶାସନ କରିଛି ଶାନ୍ତି କମିଟି ସହ ଆଲୋଚନା ।

ପୁରୀରେ ଅଶାନ୍ତିର ନିଆଁ । ପର୍ଯ୍ୟଟନ କ୍ଷେତ୍ରରେ ପ୍ରଥମ । ଓଡିଶା ଇତିହାସରେ ବୋଧହୁଏ ପ୍ରଥମଥର ଲାଗି ପୁରୀରେ ଏଭଳି ଉଗ୍ର ଆନ୍ଦୋଳନ ଦେଖିବାକୁ ମିଳିଛି । ଭକ୍ତ ଓ ଭଗବାନଙ୍କ ଭିତରେ ଅନ୍ତରାୟ ସୃଷ୍ଟି କରୁଥିବା ଅଭିଯୋଗରେ ପ୍ରଶାସନର ପଦକ୍ଷେପକୁ ବିରୋଧ କରି ଆଇନକୁ ହାତକୁ ନେଇଛନ୍ତି ଆନ୍ଦୋଳନକାରୀ । ସାମାଜିକ ସଂଗଠନ ଶ୍ରୀଜଗନ୍ନାଥ ସେନାର ଆହ୍ୱାନରେ ପୁରୀ ବନ୍ଦ ପାଳନବେଳେ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ଉତ୍ୟକ୍ତ ଲୋକ । ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇ ଆସିଛନ୍ତି ପ୍ରତିବାଦକାରୀ । ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିବା ସହ ସରକାରୀ ସଂପତି ନଷ୍ଟ କରିଛନ୍ତି ।

ପୁରୀ ବଡଦାଣ୍ଡରେ ହୁତୁହୁତୁ ହୋଇ ଜଳୁଥିଲା ଟ୍ରାଫିକ ପୋଷ୍ଟ । ଖୁବ ଉଚ୍ଚକୁ ଉଠୁଛି କଳା ମୋଟା ଧୁଆଁ । ଏହି ଘଟଣା ହିଁ ବୟାନ କରୁଛି ଯେ, କେତେ ଉଗ୍ର ହୋଇପଡିଛି ପ୍ରଶାସନର ଗୋଟିଏ ପଦକ୍ଷେପକୁ ପ୍ରତିବାଦ । ଯେଉଁ ବଡଦାଣ୍ଡ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗଡିଥାଏ, ଆଜି ସେହି ବଡଦାଣ୍ଡରେ ଥିବା ଟ୍ରାଫିକ ପୋଷ୍ଟରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ପ୍ରତିବାଦକାରୀ । ବଳଗଣ୍ଡି ଛକରେ ଥିବା ଟ୍ରାଫିକ ପୋଷ୍ଟ ଜାଳି ଦେଇଛନ୍ତି ।

ଖାଲି ନିଆଁ ଜାଳି ନାହାନ୍ତି, ବ୍ୟାପକ ଭଙ୍ଗାରୁଜା ବି କରିଛନ୍ତି । ପୁରୀ ସିଂହଦ୍ୱାର ଥାନାରେ ଶହ ଶହ ଆନ୍ଦୋଳନକାରୀ ପହଂଚି ଆଇନକୁ ହାତକୁ ନେଇଛନ୍ତି । ସିଂହଦ୍ୱାର ଥାନା ଉପରେ ଆକ୍ରମଣ କରିବା ସହ ଢେଲା ପଥର ମାଡ କରିଛନ୍ତି । ସେହିପରି ପୁରୀ ଏସପିଙ୍କ କାର୍ଯ୍ୟାଳୟ ଉପରକୁ ମଧ୍ୟ ଢେଲାମାଡ କରିଥିବା ଅଭିଯୋଗ ହୋଇଛି ।

ବଡଦାଣ୍ଡ, ସିଂହଦ୍ୱାରା ଥାନା, ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ ଏସପି ଅଫିସକୁ ଟାର୍ଗେଟ କରିଥିବା ଉତ୍ୟକ୍ତ ଜନତା ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ମଧ୍ୟ ଛାଡିନଥିଲେ । ତାଙ୍କ ବାସ ଭବନ ଆଗରେ ବିକ୍ଷୋଭ କରିବା ସହ ସେଠାରେ ଥିବା ଫୁଲକୁଣ୍ଡକୁ ଘଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।