ସେବା କ୍ଷେତ୍ରରେ ଅନନ୍ୟା ସେବିକା । ଏମିତି ଡାକ୍ତର ଝିଅ ଜନ୍ମ ହେଲେ ନିଅନ୍ତି ନାହିଁ ଫିସ୍ । 

314

କନକ ବ୍ୟୁରୋ: ଆମ ସମାଜରେ ଶିକ୍ଷତଙ୍କ ସଂଖ୍ୟା ବଢିଛି । ଆଧୁନିକତାର ଶୀର୍ଷରେ ପହଞ୍ଚିଛି ଦେଶ । ତଥାପି ଅନେକ ସ୍ଥାନରେ କନ୍ୟା ଭ୍ରୁଣ ହତ୍ୟା ଘଟଣା ଘଟୁଛି ।  କେଉଁଠି ଡଷ୍ଟବିନରୁ ତ କେଉଁଠି ରାସ୍ତାକଡରୁ ଉଦ୍ଧାର ହେଉଛନ୍ତି ନବଜାତ ଶିଶୁ କନ୍ୟା । କେବଳ ଏତିକି ନୁହେଁ ମାତୃଗର୍ଭରୁ ହିଁ ଅନେକ ସମୟରେ କନ୍ୟାଭ୍ରୁଣକୁ ହତ୍ୟା କରାଯାଉଛି । ଏପରି ଲଜ୍ଜା ଭିତରେ କନ୍ୟାଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ଜଣେ ମହିଳା, ଡାକ୍ତର ସିପ୍ରା ଧର ।

ସ୍ୱାର୍ଥପର ସମାଜରେ ବି ଆମ ଦେଶରେ ଏପରି ଅନେକ ଡାକ୍ତର ଅଛନ୍ତି ଯେଉଁମାନେ ନିଃସ୍ୱାର୍ଥପର ଭାବେ ରୋଗୀ ସେବା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ସିପ୍ରା ଧର । କନ୍ୟା ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି । ଚଳାଇଛନ୍ତି ଅଭିନବ ପ୍ରୟାସ ।

ତାଙ୍କ ହସ୍ପିଟାଲରେ କୌଣସି କନ୍ୟା ସନ୍ତାନ ଜନ୍ମ ହେଲେ ତାକୁ ନିଜ ପରିବାରର ଜଣେ ସଦସ୍ୟ ଭଳି ଗ୍ରହଣ କରି ଉତ୍ସବ ପାଳନ କରନ୍ତି । ପୁରା ହସ୍ପିଟାଲରେ ନିଜ ତରଫରୁ ମିଠା ବାଣ୍ଟନ୍ତି । ଯଦି ସିଜରିଆନ୍ ଡେଲିଭରୀରେ କନ୍ୟା ସନ୍ତାନ ଜନ୍ମ ହୁଏ ତେବେ ଅପରେସନ୍ ଟଙ୍କାଟିଏ ବି ନିଅନ୍ତି ନାହିଁ  । ଖାଲି ସେତିକି ନୁହେଁ ମା’ ଓ ନବଜାତ କନ୍ୟା ହସ୍ପିଟାଲରେ ଯେତେ ଦିନ ରହୁନ୍ତୁ ନା କହିଁକି ସେଥିପାଇଁ ମଧ୍ୟ କିଛି ଅର୍ଥ ନିଅନ୍ତି ନାହିଁ । ଏହାକୁ ନେଇ ସାରା ଉତ୍ତରପ୍ରଦେଶରେ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି । କାରଣ ଏଯାଏଁ ୧୦୦ରୁ ଉଦ୍ଧ୍ୱର୍ କନ୍ୟା ସନ୍ତାନଙ୍କ ଜନ୍ମରେ ନିଜ ତରଫରୁ ସବୁ ଖର୍ଚ୍ଚ ଗ୍ରହଣ କରିଛନ୍ତି ଡାକ୍ତର ସିପ୍ରା । ତାଙ୍କର ଏହି ସେବାର ମହକ ଛୁଟିଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ । ଉତ୍ତରପ୍ରଦେଶ ଗସ୍ତବେଳେ ମୋଦୀ ଡାକ୍ତର ସିପ୍ରାଙ୍କୁ ଭେଟି କୃତଜ୍ଞତା ଜଣାଇବା ସହ ତାଙ୍କ କାମକୁ ଆହୁରି ବଢାଇନେବାକୁ ପ୍ରେରଣା ଦେବାକୁ ଯାଇ ତାଙ୍କୁ ସେବା କ୍ଷେତ୍ରରେ ଜଣେ ଉଦାହରଣ ଭାବେ ଅଭିହିତ କରିଥିଲେ ।

ଡାକ୍ତର ସିପ୍ରା ଗରୀବ ଝିଅଙ୍କୁ ପାଠ ପଢାଇବାର ଭାର ମଧ୍ୟ ନେଇଛନ୍ତି । ଏତିକି ନୁହେଁ ସେ ଗରୀବ ପରିବାରର ଝିଅ ମାନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାର ସୁବିଧା ପାଇବାରେ ମଧ୍ୟ ସାହାଯ୍ୟ କରିଥାନ୍ତି । ଡାକ୍ତର ସିପ୍ରାଙ୍କ ସ୍ୱାମୀ ଡାକ୍ତର ମନୋଜ କୁମାର ଶୀବାସ୍ତବ ମଧ୍ୟ ତାଙ୍କୁ ଏହି କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି ।

ଡାକ୍ତର ସିପ୍ରା ଧର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳରୁ ଏମବିବିଏସ୍ ପରେ ଏମଡି କରିଛନ୍ତି । ସେ ରୋଗୀ ସୋ ସହ ଅନେକ ସମାଜ ସୁଧାର କାର୍ଯ୍ୟରେ ମଧ୍ୟ ନିଜକୁ ସମର୍ପଣ କରିଛନ୍ତି । ସେ ନିଜ ବେତରୁ କିଛି ଅର୍ଥ ସଞ୍ଚୟ କରି ଗରୀବ ଓ ଅଭାବୀ ଲୋକଭ୍କୁ ଖାଦ୍ୟ ପୋଷାକ ଯୋଗାଇ ଦିଅନ୍ତି । ମାନବ ସେବା ହିଁ ମାଧବ ସେବା’ଉକ୍ତିକୁ ଜୀବନର ବ୍ରତ କରିଥିବା ଡାକ୍ତର ସିପ୍ରାଙ୍କୁ ସବୁ ମହଲରୁ ଛୁଟୁଛି ପ୍ରଶଂସାର ସୁଅ ।