ପୁଣି ଚର୍ଚ୍ଚାରେ ବଲାଙ୍ଗୀର ପୁଲିସ : ମଦ୍ୟପଙ୍କୁ ଖୁଣ୍ଟରେ ବାନ୍ଧି ମହିଳା କନଷ୍ଟେବଳଙ୍କ ଥାର୍ଡଡିଗ୍ରୀ !

270

କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ବଲାଙ୍ଗୀର ଟାଉନ ଥାନା ପୁଲିସ। ସର୍ବସାଧାରଣ ସ୍ଥାନରେ ଜଣେ ମଦ୍ୟପକୁ ଖୁଣ୍ଟରେ ବାନ୍ଧି ସାଧାରଣ ଲୋକଙ୍କ ସହ ମିଶି ଜଣେ ମହିଳା ପୁଲିସ କର୍ମଚାରୀ ମାଡ଼ ମାରୁଛନ୍ତି। ମଦ୍ୟପ ଜଣକ ବାର ବାର ଚିତ୍କାର କରୁଥିଲେ ବି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୁଲିସର ଥାର୍ଡଡିଗ୍ରି ଦେଖିବାକୁ ମିଳିଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲ କ୍ୟାମ୍ପସର ଫାଣ୍ଡି ସମ୍ମୁଖରେ ଘଟିଥିବା ଏହି ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ,ମେଡିକାଲ କ୍ୟାମ୍ପସ ଭିତରେ ଜଣେ ମଦ୍ୟପ ଉତ୍ପାତ ଚଳାଇଥିଲା। ଘଟଣାର ଖବର ପାଇ ମହିଳା କନଷ୍ଟେବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଯାହା ଘଟଣା ହୋଇଥିଲା ତାକୁ କେତେ ଜଣ ନିଜ ମୋବାଇଲରେ ରେକର୍ଡ କରିଥିଲେ। ଘଟଣା ସମୟରେ ରେକର୍ଡ ହୋଇଥିବା ଭିଡିଓରୁ ଜଣାଯାଇଛି ଯେ: ହସପିଟାଲ ଫାଣ୍ଡି ସାମ୍ନାରେ ଗୋଟିଏ ଖୁଣ୍ଟରେ ବନ୍ଧା ହୋଇଛି ମଦ୍ୟପ। ଯିଏ ଯାହା ପାରିଲେ ତାକୁ ମାଡ଼ ମାରୁଥିଲେ। ଆଉ ଘଟଣାସ୍ଥଳରେ ଉପସ୍ଥିତ ଖାକି ପୋଷାକରେ ଥିବା ମହିଳା କନଷ୍ଟେବଳ ଆକ୍ସନ ମୁଡରେ ରହିଛନ୍ତି। କେତେବେଳେ ସେ ନିଜ ଜୋତା ଖୋଲି ମାଡ଼ ମାରୁଛନ୍ତି ତ ଆଉ କେତେବେଳେ ତଣ୍ଟି ଚିପି ଦେଉଛନ୍ତି। ମଦ୍ୟପର ହାତକୁ ମଧ୍ୟ ସେ ମୋଡ଼ି ପକାଉଛନ୍ତି। ଉପସ୍ଥିତ କେତେ ଜଣ ମ୍ୟାଡାମଙ୍କୁ ସେଭଳି ନକରିବାକୁ ବାରଣ କଲେ ବି ସେ କାହା କଥା ଶୁଣିବାକୁ ନାରାଜ ।

ତେବେ ଘଟଣାକୁ ନେଇ ମହିଳା କନଷ୍ଟେବଳ ଜଣକ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି। ଅନ୍ୟପଟେ ଫାଣ୍ଡି ଅଧିକାରୀଙ୍କ କହିବାନୁସାରେ, ମଦ୍ୟପ ଜଣକ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରିଥିଲେ। ପରେ ଖବର ପାଇ ପିସିଆର ଆସି ମଦ୍ୟପକୁ ଥାନାକୁ ନେଇ ଯାଇଥିଲା ବୋଲି ସେ କହିଛନ୍ତି।