କାଶ୍ମୀର ପରେ ଅଯୋଧ୍ୟା ମାମଲାରେ ବଡ ନିଷ୍ପତି ନେବେ କି ମୋଦି ସରକାର ? ଆଜିଠୁ ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦ ମାମଲାର ଦୈନିକ ଶୁଣାଣି ।

311

କନକ ବ୍ୟୁରୋ : କାଶ୍ମୀରକୁ ନେଇ ଦୀର୍ଘ ୭୦ ବର୍ଷ ପରେ ନୂଆ ଇତିହାସ ଲେଖାହୋଇଥିବା ବେଳେ ଗତକାଲି ସୋସିଆଲ ମିଡିଆରେ ଖୁବଶୀଘ୍ର ଅଯୋଧ୍ୟା ମାମଲାର ସମାଧାନ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା । କୁହାଯାଉଛି, କାଶ୍ମୀର ପରେ ଅଯୋଧ୍ୟା ପ୍ରସଙ୍ଗ ହେଉଛି ମୋଦିଙ୍କ ପରବର୍ତ୍ତୀ ମିଶନ୍ । ଗତକାଲି ସୋସିଆଲ ମିଡିଆରେ ଏଭଳି ତମାମ୍ ଚର୍ଚ୍ଚା ହେଉଥିବା ବେଳେ ଏହି ଚର୍ଚ୍ଚାକୁ ନେଇ ଆଜି ଆସିଛି ବଡ ଖବର ।

ଆପୋସ ବୁଝାମଣା ଜରିଆରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଲକ୍ଷ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି ନିଜର ଲକ୍ଷ୍ୟ ହାସଲରେ ଫେଲ୍‌ ମାରିବା ପରେ ସୁପ୍ରିମକୋର୍ଟ ଆଜିଠାରୁ ଦୈନିକ ଶୁଣାଣି କରିବେ ବୋଲି ଜଣାଯାଇଛି ।ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରିବେ । ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସି ଏସ.ଏ. ବୋବଡେ, ଜଷ୍ଟିସି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସି ଏସ. ଏ.ନଜୀର ମଧ୍ୟ ସାମିଲ ଅଛନ୍ତି ।

ଉଲ୍ଲେଖଯୋଗ୍ୟ, ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଦିଗରେ କୌଣସି ସାମାନ୍ୟତମ ସୁଯୋଗକୁ ହାତଛଡ଼ା କରାଯିବ ନାହିଁ ବୋଲି ପୂର୍ବରୁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ ଏବଂ ମାମଲା ସହ ସଂପୃକ୍ତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଆପୋସ ବୁଝାମଣା ଜରିଆରେ ଏହି ବିବାଦର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କଲିଫୁଲ୍ଲା, ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁଙ୍କୁ ନେଇ ଏକ ତିନି ଜଣିଆ ମଧ୍ୟସ୍ଥି କମିଟି ଗଠନ କରିଥିଲେ ।