ସେନା ମୋହରେ ଶ୍ରମିକଙ୍କ ପୁଅ । ମା’ ମାଟିର ସୁରକ୍ଷା ପାଇଁ ଛାଡିଲେ ବିଳାସପୂର୍ଣ୍ଣ ଚାକିରୀ

51

ସବୁ ବାପାଙ୍କ ଭଳି ସେ ବି ପୁଅ ପାଇଁ ସ୍ୱପ୍ନ ଦେଖିଥିଲେ । ଆଉ ଦିନେ କହିଦେଇଥିଲେ ନିଜ ମନକଥା । ଭାରତୀୟ ସେନାରେ ଯୋଗଦେବା ପାଇଁ ବାପାଙ୍କର ଥିବା ଇଚ୍ଛାକୁ ସମ୍ମାନ ଦେଇଥିଲା ପୁଅ। ଆଉ ଯେଉଁଦିନ ପୁଅକୁ ଭାରତୀୟ ସେନା ପୋଷାକରେ ଦେଖିଲେ ସେଦିନ ଆଖିରୁ ଝରିପଡୁଥିବା ଅଶ୍ରୁକୁ ସମ୍ଭାଳିପାରିନଥିଲେ ବରନନା ଗୁନ୍ନାୟା । ଅନେକ ଦିନରୁ ଆଖିରେ ଜମିରହିଥିବା ଲୁହ ସବୁ ବାହାରିଆସିଥିଲା ଆଖିର ସେଇ କ୍ଷୁଦ୍ର ପରିଧି ଭିତରୁ ।

ଗୁନ୍ନାୟା ଜଣେ ଦିନ ମଜୁରିଆ । ହାଇଦ୍ରାବାଦରେ ଗୋଟିଏ ସିମେଂଟ କମ୍ପାନୀରେ ଦିନକୁ ଶହେ ଟଙ୍କା ପାଇଁ ମୂଲ ଲାଗନ୍ତି । କିନ୍ତୁ ଆଜି ତାଙ୍କ ପୁଅ ଡେରାଡୁନ ସ୍ଥିତ ଭାରତୀୟ ମିଲିଟାରୀ ଏଳାଡେମୀରୁ ଆର୍ମି ଅଫିସର ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ହେଉଛନ୍ତି ବରନନା ୟାଦଗିରି ।

“ମୋ ବାପା ଜଣେ ସାଧାରଣ ମଣିଷ । ମୁଁ ଆର୍ମିରେ ଯୋଗଦିଏ ସେ ଚାହୁଁଥିଲେ । ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ୟାଦଗିରିଙ୍କୁ ଭାରତୀୟ ସେନାରେ ଚାକିରି ପାଇଁ ଟ୍ରିପଲଆଇଟି ଭଳି ସଂସ୍ଥାରୁ ଉଚ୍ଚବେତନର ସଫ୍ଟୱେର ଚାକିରୀ ଛାଡିବାକୁ ପଡିଥିଲା । ଆମେରିକାର ଗୋଟିଏ ପ୍ରତିଷ୍ଠିତ କମ୍ପାନୀର ଅଫରକୁ ମନାକରିଦେଇଥିଲେ । ଏପରିକି କ୍ୟାଟ ପରୀକ୍ଷାରେ ୯୩.୪ ପର୍ସେଂଟାଇଲ ପାଇବା ପରେ ବି ଆଇଆଇଏମ ଇନ୍ଦୋରକୁ ‘ନାଁ’ କରିଦେଇଥିଲେ । ଏହା କହିଛନ୍ତି ୟାଦଗିରି । ଏହା ପଛରେ ଥିଲା ବିରାଟ ସ୍ୱାର୍ଥ । ହୃଦୟର ଇଚ୍ଛାକୁ ସମ୍ମାନ, ଦେଶମାତୃକାର ସେବା ।

ସେ କେବଳ ଭାରତୀୟ ମିଲିଟାରୀ ଏଳାଡେମୀରୁ ପାସ କରିନାହାନ୍ତି, ବରଂ ଭାରତୀୟ ସେନାର ଟେକ୍ନିନାଲ ୟୁନିଟରେ ଯୋଗଦେବା ପାଇଁ ପରୀକ୍ଷାରେ ସମ୍ମାନଜନକ ରୋପ୍ୟ ପଦକ ପାଇଛନ୍ତି । ତାଙ୍କ ଜୀବନ କିଭଳି ସଂଘର୍ଷ ଓ ଦୁଃଖ ଭିତରେ କଟିଥିଲା ସେ କଥା ବି ସେ କହିବାକୁ ପଛାଇନାହାନ୍ତି । ଆଜିର ସଫଳତା ପଛରେ ଯେଉଁ ମର୍ମସ୍ପର୍ଶୀ ଓ ବାସ୍ତବ ସତ ଲୁଚି ରହିଛି ସେ ତା ଉପରୁ ପରଦା ଉଠାଇଛନ୍ତି । ସେ କହିଥିଲେ, ମୁଁ ଅନେକ ଥର ଦେଖିଛି ବାପା ଅନେକ ପରିଶ୍ରମ କରି ମାତ୍ର ୬୦ ଟଙ୍କା ଆଣିଥାଆନ୍ତି ଆଉ ମାଆ ପୋଲିଓ ରୋଗୀ ହୋଇ ବି ବିଭିନ୍ନ ଅଫିସର ଟେବୁଲ ସଫା କରିଥାଆନ୍ତି । ଏହା ପଛର କାରଣ ଥିଲା ତାଙ୍କ ପୁଅ ଦେଶର ସେବା କରୁ ଓ ସେନାରେ ଯୋଗଦେଉ ।

ସେ ଟଙ୍କା ପଛରେ ଗୋଡାଇନଥିଲେ କି ଉଚ୍ଚବେତନ ତାଙ୍କୁ ଆକର୍ଷିତ କରିପାରିନଥିଲା । ଟଙ୍କା ପ୍ରତି ଅହେତୁକ ଦୁର୍ବଳତା ତାଙ୍କ ମନରେ ନଥିଲା କିମ୍ବା ନିଷ୍ଠା ତାଙ୍କୁ ଲକ୍ଷ୍ୟପଥରୁ ହଲାଇପାରିନଥିଲା । ମାଆମାଟି ପ୍ରତି ଦୁର୍ବଳତା ତାଙ୍କ କଥାରୁ ଜଣାପଡିଥିଲା । ସେ କହିଥିଲେ, ମତେ ଅଧିକ ଟଙ୍କା ମିଳିଥାନ୍ତା । କିନ୍ତୁ ଦେଶ ସେବାର ମାନସିକ ଶାନ୍ତି ମତେ ସେ ଉଚ୍ଚବେତନ ଦେଇପାରିନଥାନ୍ତା । ଏହି ଗୋଟିଏ ପଦ କଥାରୁ ତାଙ୍କ ଦେଶପ୍ରୀତିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା । ସେ ଭାଷଣ ଓ ବହି ପଢିବାକୁ ଭଲ ପାଆନ୍ତି ।

ନିଜ ସ୍ୱପ୍ନପୂରଣ କରିବା ପରେ ଏହି ଯୁବ ଆର୍ମି ଅଫିସର କହିଛନ୍ତି, କଠିନ ପରିଶ୍ରମ କରିବା ମୋ ଜିନରେ ଅଛି । ମୁଁ ମୋ କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବି । ପ୍ରତିରକ୍ଷା କ୍ଷେତ୍ରରେ ଏପରି ଗବେଷଣା କରିବି ଯାହା ମୋ ଦେଶର ଗର୍ବ ବଢାଇବ ।