ଡିସେମ୍ବର ୩ରେ ଅନୁଷ୍ଠିତ ହେବ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ଅଡିସନ୍ । ଭାଗ ନେଉଛନ୍ତି ବହୁ ପ୍ରତିଯୋଗୀ

51

କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ବିଂଶତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍ ଡିସେମ୍ବର ୩ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। କରୋନା ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିବା ଏହି ପ୍ରତିଯୋଗିତା ପୁଣିଥରେ ଆରମ୍ଭ ହେବାକୁ ଯାଉଛି।

କିଟ୍ କ୍ୟାମ୍ପସ୍‍-୭ରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଡିସନ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ପଞ୍ଜୀକରଣ କରିଛନ୍ତି। ୧୫ରୁ ୧୭ବର୍ଷ ବୟସର ବାଳିକାମାନେ ଏହି ଅଡିସନ୍‌ରେ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ, କିଟ୍ ନହ୍ନିପରୀ ବିଜେତାମାନଙ୍କ ପାଇଁ ୪୧ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଛି। ନହ୍ନିପରୀ ଟାଇଟଲ୍‍ ବିଜେତାଙ୍କୁ ନଗଦ ୩ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବାକୁ ଥିବା ବେଳେ କିଟ୍‌ରେ ପାଠ ପଢ଼ିଲେ, ତାଙ୍କ ପାଇଁ ଶହେ ପ୍ରତିଶତ ଫି’ ଛାଡ଼ ଅର୍ଥାତ ସର୍ବାଧିକ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ ହେବ।

ସେହିଭଳି ପ୍ରଥମ ରନର୍ସ ଅପ୍‌ଙ୍କୁ ନଗଦ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ସେ କିଟ୍‌ରେ ପାଠ ପଢ଼ିଲେ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ କରାଯିବ। ଦ୍ୱିତୀୟ ରନର୍ସ ଅପ୍‌ଙ୍କ ପାଇଁ ପୁରସ୍କାର ବାବଦରେ ୫୦ହଜାର ଟଙ୍କା ନଗଦ ପ୍ରଦାନ କରାଯିବ। ସେହିପରି ପ୍ରତିଯୋଗିତାର ମିସ୍ ରାପୁଞ୍ଜେଲ୍‌, ମିସ୍ ଫଟୋଜେନିକ୍‌, ମିସ୍ ସେଲ୍‌ଫି (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌), ମିସ୍ ଫେସନ୍ ଗାର୍ଲ, ମିସ୍ ୱିଜ୍‌କିଡ଼୍‌, ମିସ୍ ସିଣ୍ଡ୍ରେଲା, ମିସ୍ ଉର୍ବଶୀ, ମିସ୍ କ୍ୟାଟ୍‌ୱାକ୍‌, ମିସ୍ ମୋନାଲିସା ଏବଂ ମିସ୍ ଆକ୍‌ଟିଭ୍ ଆଦି ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବା ପ୍ରତିଯୋଗୀଙ୍କ ପାଇଁ ମଧ୍ୟ ଆର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି।

୨୦୦୧ ମସିହାରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍ ନହ୍ନିପରୀ ପ୍ରତିଯୋଗିତା ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତା ଓ ପରାମର୍ଶକ୍ରମେ ଏବେ ସମଗ୍ର ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି।