ଗୃହକୁ ବନ୍ଦ କରିବା ପାଇଁ ଏଠି ଚକ୍ରାନ୍ତ ଚାଲିଛି । ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା ନକରି ପ୍ରଚାରକୁ ପଳାଉଛନ୍ତି ବିଧାୟକ ଓ ମନ୍ତ୍ରୀ : ମୋହନ ମାଝୀ

100

କନକ ବ୍ୟୁରୋ : ଆଜି ଚାଲିପାରିଲାନି ବିଧାନସଭା । ଚାଷୀ ସମସ୍ୟାକୁ ନେଇ ବିଜେପି ବିଧାୟକଙ୍କ ହୋହଲ୍ଲା । ହାତରେ ପୋଷ୍ଟର ଧରି ପୋଡିୟମ ତଳେ ନାରାବାଜି କରିଛନ୍ତି ବିଜେପି ବିଧାୟକମାନେ । ହଟଗୋଳ ଯୋଗୁ ସାଢେ ୧୧ ଟା ଯାଏ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ସେପଟେ ବିଧାନସଭା ଘେରାଉ କରିବାକୁ ଭାରତୀୟ ଜନତା ପାର୍ଟି ନେତା ଓ କର୍ମୀଙ୍କ ରାଲି କରୁଥିବା ଦେଖିବାକୁ ମିଳିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ବାଚସ୍ପତିଙ୍କ ଉପରେ ଚାପ ପକାଯାଇ ଗୃହକୁ ବନ୍ଦ କରିବା ରାଇଁ ଏଠି ଚକ୍ରାନ୍ତ ଚାଲିଛି । ଚାଷୀଙ୍କୁ ସହାୟତା ଲାଗି ୨ଶହ କୋଟିର ପ୍ୟାକେଜ ଘୋଷଣା ହୋଇଛି । ହେଲେ କେଉଁମାନେ ସହାୟତା ପାଇବେ ସେନେଇ କୌଣସି ନିଷ୍ପତି ନିଆଯାଇନି । ମନ୍ତ୍ରୀମାନେ ବିଧାନସଭାରେ କାଠ କଣ୍ଡେଇ ସାଜିଛନ୍ତି । ମନ୍ତ୍ରୀମାନେ କିଛି ଜାଣୁନାହାନ୍ତି, ଅଫିସର ଦେଉଥିବା ଚିଠିକୁ ବିଧାନସଭାରେ ମନ୍ତ୍ରୀମାନେ ଆସି ପଢ଼ୁଥିବା କହିଛନ୍ତି ମୋହନ ମାଝୀ ।
ସେ ଆହୁରି ମଧ୍ୟ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନଆସି ସାଢେ ଚାରିକୋଟି ଲୋକଙ୍କ ସମସ୍ୟା ବାବଦରେ ଆଲୋଚନ ନକରି କାହିଁକି ପ୍ରଚାରକୁ ଗଲେ? କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ୫୦ ଜଣ ବିଧାୟକ ଏବଂ ୧୫ଜଣ ମନ୍ତ୍ରୀ ମଧ୍ୟ ବିଧାନସଭା ଛାଡି ପ୍ରଚାରରେ ଗଲେ ? ଧାମନଗରରେ ହାରିଗଲେ ସେଥି ପାଇଁ ମନରେ ଭୟ ପସିଯାଇଛି । ତେଣୁ ପଦ୍ମପୁରରେ ହାରିଯିବା ଭୟରେ ପଦ୍ମପୁର ପ୍ରଚାରରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠି ଭୋଟ ରାଜନୀତି ଚାଲିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି