ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବାଲିପାଟଣା ଗସ୍ତ : ନିମ୍ନମାନର କାମ ନେଇ ଅଧିକାରୀଙ୍କ ଉପରେ ବର୍ଷିଲେ

577

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ବାଲିପାଟଣା ବ୍ଲକ ଗସ୍ତ କରି ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ଏବଂ ପଞ୍ଚାୟତରାଜ ବିଭାଗର ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ଜିଲ୍ଲାପାଳ ବିଭିନ୍ନ ପ୍ରକଳ୍ପ ଚାଲି ଚାଲି ବୁଲିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ପ୍ରଥମେ ପାମ୍ପୋଲ ପଞ୍ଚାୟତର ମହିଳା ମହାସଂଘ ତରଫରୁ ହୋଇଥିବା ଗେଣ୍ଡୁଫୁଲ ଚାଷକାମର ତଦାରଖ କରିଥିଲେ ।

ଏହା ପରେ କୁରୁୁଞ୍ଜିପୁର ମିଶନ ଶକ୍ତି ଘର ଓ କତା ଉଦ୍ୟୋଗ ଦେଖିଥିଲେ । ମିଶନଶକ୍ତି ଘର କାମ ନିମ୍ନମାନର ହୋଇଥିବା ସନ୍ଦେହ କରି ଜିଲ୍ଲାପାଳ ବଣବୁଦା ରାସ୍ତାରେ ଚାଲି ଚାଲି ଯାଇଥିଲେ । ଠିକାଦାର ଚାବି ନଦେବାରୁ ତାଲା ଭାଙ୍ଗିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ତାଲା ଭଙ୍ଗାଯିବା ପରେ ଭିତରକୁ ଯାଇ କାମର ଯାଞ୍ଚ କରିଥିଲେ ଏବଂ ଅଧିକାରୀଙ୍କ ଉପରେ ବର୍ଷିଥିଲେ । କତା ଉଦ୍ୟେଗ ଦେଖିବା ପରେ କୁରୁଞ୍ଜିପୁର ପରିତ୍ୟକ୍ତ ସ୍କୁଲ ଘରକୁ କତା ଶିଳ୍ପ ପାଇଁ ଦେବାକୁ ବିଡ଼ିଓ ଆଦିକନ୍ଦ ବେହେରାଙ୍କୁ କହିଥିଲେ ।

ଏହାସହ ପୋଖରୀ ନିକଟକୁ ଯାଇ ମାଛ ଯାଆଁଳ ଚାଷ ଦେଖିଥିଲେ । କୌଣସି କାମ ସଠିକ ପରିଚାଳନା ହେଉନାହିଁ କହି ଅଧିକାରୀଙ୍କ ଉପରେ ବର୍ଷିଥିଲେ ଜିଲ୍ଲାପାଳ । ଫାଇଭ-ଟି ଦ୍ୱାରା ନବୀକରଣ ହେଉଥିବା କୁରୁଞ୍ଜିପୁର, ପୁବାଗଡ଼ ଓ ନରିଶୋ ବାଳିକା ବିଦ୍ୟାଳୟ କାମ ଯାଞ୍ଚ କରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।