ଆସିଲା ଖରିଫ ଫସଲ କ୍ଷୟକ୍ଷତିର ରିପୋର୍ଟ ! ୯ଟି ଜିଲ୍ଲା ପ୍ରଭାବିତ, ବରଗଡ ସର୍ବାଧିକ କ୍ଷତିଗ୍ରସ୍ତ

87

କନକ ବ୍ୟୁରୋ : ଆସିଲା ଖରିଫ ଚାଷର ଫସଲ କ୍ଷୟକ୍ଷତିର ରିପୋର୍ଟ । ରୋଗ ପୋକରେ ପ୍ରଭାବିତ ହୋଇଛି ୧ଲକ୍ଷ ୭୮ହଜାର ୯୩୨ ହେକ୍ଟର ଜମିର ଧାନ ଫସଲ । ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ଏହି ରିପୋର୍ଟ । ମୋଟ ୯ଟି ଜିଲ୍ଲାର ୯୨ଟି ବ୍ଲକ , ୧୬୨୦ଟି ଗ୍ରାମ ପଂଚାୟତର ୮ହଜାର ୨ଶହ ୧୧ଟି ଗାଁର ୧ଲକ୍ଷ ୭୮ହଜାର ୯୩୨ ହେକ୍ଟର ଜମିର ଧାନ ଫସଲ ପ୍ରଭାବିତ ହୋଇଛି । ବରଗଡ ଜିଲ୍ଲାର ସର୍ବାଧିକ ୪୩ହଜାର ୩୭ ହେକ୍ଟର ଜମିର ଫସଲ ୩୩ରୁ ୫୦ ପ୍ରତିଶତ ନଷ୍ଟ ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଦ୍ୱିତୀୟରେ ସମ୍ବଲପୁର ଜିଲ୍ଲାର ୩୬ହଜାର ୫୭ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ତେବେ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୨୦ଟି ବ୍ଲକର ଫସଲ କ୍ଷତିଗ୍ରସ୍ତ ହୋଇଛି । ତାପଛକୁ କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାର ୧୪ଟି ଲେଖାଏ ବ୍ଲକ ପ୍ରଭାବିତ ହୋଇଛି । ସେହିପରି କଳାହାଣ୍ଡିର ୧୨ଟି ବ୍ଲକ ଓ ବରଗଡର ୧୧ଟି ବ୍ଲକ ପ୍ରଭାବିତ ହୋଇଛି । ସମ୍ବଲପୁରର ୯, ସୁବର୍ଣ୍ଣପୁରର ୬ ଓ ଭଦ୍ରକର ଗୋଟିଏ ବ୍ଲକରେ କୀଟନାଶକ ପୋକ ଯୋଗୁ ଫସଲ ହାନି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟ ଅନୁଯାୟୀ ସରକାର କ୍ଷତି ପୂରଣ ଘୋଷଣା କରିବେ ।

ଏସବୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବସିବ କୃଷି କ୍ୟାବିନେଟ୍ ବୈଠକ । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିବ ବୈଠକ । ସନ୍ଧ୍ୟା ୫ଟା ୩୦ରେ ବସିବାକୁ ଥିବା ଏହି ବୈଠକରେ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ସମ୍ଭାବନା ରହିଛି ।