ସଫେଇ ମାଉସୀ ମାଗୁଛି ମୂଲ । ୩୩ ଟଙ୍କାରେ କେମିତି ଚଳିବି ?

166

କନକ ବ୍ୟୁରୋ: ସକାଳ ହେବାମାତ୍ରେ ହାତରେ ଝାଡୁ ସହ ଡାଲିଆ ଧରି ପହଞ୍ଚିଯାନ୍ତି ନୟନା । ହାଟରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରି ପରିବେଶକୁ ସଫା କରନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରେଡାଗଡ ଗାଁର ନୟନା ଗୋଚ୍ଛାୟତ । ସତୁରୀ ବର୍ଷ ବୟସରେ ଜୀବନର କଷ୍ଟ ସହି ସଂଗ୍ରାମ କରି ନିଜର ପେଟ ପୋଷୁଛନ୍ତି । ରାଜନଗର ଆରଏମସି ହାଟରେ ସେ ସଫେଇ କର୍ମଚାରୀ ଭାବେ କାମ କରୁଛନ୍ତି । ତେବେ ସ୍ଥାନୀୟ ଆରଏମସି ତାଙ୍କୁ ଏହି ଦାୟିତ୍ୱ ଦେଇ ଦିନକୁ ଦେଉଛିି ମାତ୍ର ତେତିଶି ଟଙ୍କା ଦରମା । ଏହି ମହଙ୍ଗା ଯୁଗରେ ସେ ଏଇ କିଛି ଟଙ୍କାରେ ଚଳୁଛନ୍ତି । ତିନି ବର୍ଷ ହେବ ସେ ଏହି କାମ କରୁଥିବା ବେଳେ ହାଟ ଦିନ ଓ ହାଟର ପୂର୍ବ ଦିନ ସେ କେରେଡାଗଡରୁ ରାଜନଗର ଆସି ଏହିଭଳି ସଫେଇ କରନ୍ତି ।

ରାଜନଗରରୁ କେରଡାଗଡର ଦୂରତା ୭ କିଲୋମିଟର । ମାସିକ ହଜାରେ ଟଙ୍କା ପ୍ରାପ୍ୟ ପାଉଥିବା ବେଳେ ଅଟୋରେ ଯିବା ଆସିବାରେ ହିଁ ସବୁ ଟଙ୍କା ଖର୍ଚ୍ଚ ହେଉଛି । ହାଟର ବ୍ୟବସାୟୀ ଯେଉଁ ଦୁଇଟି ପରିବା ଦେଇଥାନ୍ତି ସେଥିରେ ତାଙ୍କର ରୋଷେଇ ହୋଇଥାଏ । ଏହା ଭିତରେ ଗୋଟିଏ ବୋଲି ଝିଅର ବାହାଘର କରିଛନ୍ତି ସେ । ହେଲେ, ସରକାର କିମ୍ବା ଆରଏମସି ତାଙ୍କ ଦୁଃଖ ଶୁଣିପାରୁନାହିଁ । ସରକାର ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି । ଦୈନିକ ୨୨୨ ଟଙ୍କା ହିସାବରେ ପାଉଣା ସ୍ଥିର ହୋଇଥିଲେ ବି କେଉଁଭଳି ନୟନାକୁ ଏତେ କମ ପାଉଣା ମିଳୁଛି ତାକୁ ନେଇ ପ୍ରଶ୍ନ ଉଠିଛି । ଦିନକୁ ଏଇ ତେତିଶ ଟଙ୍କାରେ କେମିତି ଚଳିବେ ନୟନା । ପରିଶ୍ରମ କରି ପରିବେଶକୁ ସଫାରଖୁଥିବା ନୟନାଙ୍କ ଦୁଃଖ ଆରଏମସି ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ବୁଝନ୍ତୁ ବୋଲି ବ୍ୟବସାୟୀ ଦାବି କରିଛନ୍ତି । ତେବେ କେବେ ନୟନାଙ୍କୁ ଉଚିତ ପ୍ରାପ୍ୟ ମିଳୁଛି ତାକୁ ଅପେକ୍ଷା ।