ଜଗନ୍ନାଥଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗିନାହିଁ । ଯେବେ ଗୀତ ଗାଇବି, ସାରା ଓଡିଶା ଝୁମିବ । 

466

କନକ ବ୍ୟୁରୋ: ଜଗନ୍ନାଥଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗିନାହିଁ । କିଛି ଏଭଳି କହି ନିଜ ବିବାଦ ଉପରେ ମୁହଁ ଖୋଲିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଯେବେ ଗୀତ ଗାଇବି, ସେତେବେଳେ ସାରା ଓଡିଶା ଝୁମିବ ବୋଲି ହ୍ୟୁମାନ କହିଛନ୍ତି । ଏହା ସହ ମୋ ମନ ଦୁଃଖ ଯେ, ମୋ ନାଁରେ ଏତଲା ଦିଆଯାଇଛି । ଆଶା କରିବେ ସେମାନେ ସଦବୁଦ୍ଧି ପାଇବେ ଏବଂ ବାଟକୁ ଚାଲିଆସିବେ ।

ତେବେ ହ୍ୟୁମାନଙ୍କ ନାଁରେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିବା ଓ ଧମକ ଦେବା ଅଭିଯୋଗ ହୋଇଥିଲା । ତାଙ୍କ ନାଁରେ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଥିଲା । ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ ଜଗନ୍ନାଥ ଜଣାଣ ଗାଇବାକୁ ବାଧ୍ୟ କରିବାରୁ ହ୍ୟୁମାନ ସାଗର ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଜଗନ୍ନାଥଙ୍କ ଭଜନ ଗାଇବା ତାଙ୍କ ଧର୍ମରେ ନାହିଁ ବୋଲି ହ୍ୟୁମାନ ସାଗର କହିବା ପରେ ଏହି ବିବାଦ ବଢିଛି । ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସେପଟେ ବିବାଦ ପରେ ପ୍ରଥମେ ପ୍ରତିକ୍ରିୟା ରଖିଥିଲେ ହ୍ୟୁମାନ ସାଗରଙ୍କ ସହଯୋଗୀ ଏମଡି ଆବିଦ । ସେ କହିଛନ୍ତି ଯେ, ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଲୋକପ୍ରିୟ କଣ୍ଠଶିଳ୍ପୀର ଲୋକପ୍ରିୟତା ହ୍ରାସ କରିବାକୁ ଅପଚେଷ୍ଟା କରାଯାଉଛି । ହ୍ୟୁମାନ ଜଗନ୍ନାଥ ଜଣାଣ ଗାଇଛନ୍ତି, ଆସନ୍ତା ରଥଯାତ୍ରାରେ ଏହା ରିଲିଜ ହେବାକୁ ଯାଉଛି ।